ନୂଆଦିଲ୍ଲୀ: ଇଡି ଜାଲରେ ପଡିଲେ ବାଇଜୁର ପ୍ରତିଷ୍ଠାତା ଏବଂ ଚିଫ ଏକଜିକ୍ୟୁଟିଭ ଅଫିସର ବାଇଜୁ ରବୀନ୍ଦ୍ରନ । ଶନିବାର ୨ଟି କାର୍ଯ୍ୟାଳୟ ଏବଂ ଗୋଟିଏ ବାସଭବନ ଏହିପରି ତିନୋଟି ଜାଗାରେ ଇଡି ପକ୍ଷରୁ ଚଢଉ କରାଯାଇଛି । ଚଢାଉ ଓ ଜବତ କାର୍ଯ୍ୟାନୁଷ୍ଠାନ ବେଳେ ବିଭିନ୍ନ ଆପତ୍ତିଜନକ ଦସ୍ତାବିଜ ଓ ଡିଜିଟାଲ ଡାଟା ଇଡିର ହସ୍ତଗତ ହୋଇଛି ।ତାଙ୍କ ବିରୋଧରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ (ଫେମା) ନିୟମର ଉଲଙ୍ଘନ କରିଥିବା ଅଭିଯୋଗ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
କମ୍ପାନୀର ବାଇଜୁ ନାମକ ଏକ ଲୋକପ୍ରିୟ ଅନଲାଇନ ଏଡୁକେଶନ ପୋର୍ଟାଲ ରହିଛି । ତଲାସି ଅଭିଯାନବେଳେ ସେଠାରୁ ଅନେକ ଆପତ୍ତିଜନକ କାଗଜପତ୍ର ଏବଂ ଡିଜିଟାଲ ଡାଟା ଜବତ ହୋଇଛି । ଏହି ଅଭିଯୋଗ ଅନୁଯାୟୀ, ତାଙ୍କ କମ୍ପାନୀ ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (FDI) ଅଧୀନରେ ୨୦୧୧ରୁ ୨୩ ମଧ୍ୟରେ ୨୮ ହଜାର କୋଟି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଗ୍ରହଣ କରିଛନ୍ତି । ହେଲେ ଏହାର ବିବରଣୀ ପ୍ରସ୍ତୁତ କରି ନ ଥିଲେ ଏବଂ ଖାତାର ଅଡିଟ କରି ନ ଥିଲେ ।
ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, କମ୍ପାନୀ ତରଫରୁ ବିଦେଶକୁ ୯୭୫୪ କୋଟି ଟଙ୍କା ପଠାଯାଇଛି । ଏହି ସମୟ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ବିଜ୍ଞାପନ ଓ ମାର୍କେଟିଂ ଖର୍ଚ୍ଚ ନାମରେ ପ୍ରାୟ ୯୪୪ କୋଟି ଟଙ୍କା ବୁକ୍ କରିଛି । ଯେଉଁଥିରେ ବିଦେଶୀ ଅଧିକାରୀଙ୍କୁ ପଠାଯାଇଥିବା ରାଶି ମଧ୍ୟ ସାମିଲ ରହିଛି ।
ଇଡିର କହିବା ଅନୁଯାୟୀ, କମ୍ପାନୀ କେତେ ଟଙ୍କା ପଠାଇଥିଲା ଏବଂ କେତେ ଗ୍ରହଣ କରିଥିଲା ତାହାର ଯାଞ୍ଚ ବ୍ୟାଙ୍କ ମାଧ୍ୟମରେ କରାଯାଇଥିଲା । ବ୍ୟକ୍ତିଗତ ଭାବେ ହୋଇଥିବା ଅଭିଯୋଗ ଅନୁସାରେ ଇଡି ପକ୍ଷରୁ ଚଢଉ କରାଯାଇଛି । ଇଡି ଯାଞ୍ଚ ବେଳେ ସଂସ୍ଥାପକ ତଥା ସିଇଓ ରବୀନ୍ଦ୍ରନ ବାଇଜୁଙ୍କୁ ଏକାଧିକ ସମନ ହୋଇଥିଲା । ହେଲେ ସେ ଏହାକୁ ଏଡାଇ ଦେଉଥିଲେ । ଏପରିକି ଯାଞ୍ଚ ସମୟରେ ଉପସ୍ଥିତ ରହୁ ନ ଥିଲେ ।ଏହା ପରେ ଇଡି ତାଙ୍କର ୨ କାର୍ଯ୍ୟାଳୟ ଏବଂ ବାସଭବନରେ ଛାପା ମାରିଥିଲା ।
Comments are closed.