ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅଳ୍ପ ଥିଲେ ବି ପାରେ ଚଳି
ନିଜର ଚରିତ୍ର ସଂଭାଳି
ନିଜକୁ ପାରେନାହିଁ ବିକି
ଏପରି ଜଣେ ବି ଅଛି କି ?
ସ୍ବାଧୀନ ହେଲେ ସୁଦ୍ଧା ଦେଶ
ଯେଉଁମାନେ କରଂତି ବାସ
ସେମାନେ ହୋଇ କିଣାଦାସ
ପାଆଂତି ବିକୃତ ଉଲ୍ଲାସ
ଭାଷାରେ ସ୍ପଷ୍ଟ ମନକଥା
ନ କହି ସର୍ବଦା ଅଯଥା
ଲୁଚାଂତି ଚିଂତା ଓ ଭାବନା
ଜିଭରେ ଲାଗେ କଟକଣା
ସବୁ ଆଡ଼କୁ ଦେଇ ଧ୍ୟାନ
ତୁଂଡରୁ କାଢ଼ିଲେ ବଚନ
ତହିଁରେ ରହେନାହିଁ ସତ୍ୟ
ଏହା ତ ପ୍ରମାଣିତ ତଥ୍ୟ
ମନର କଥା ମନେ ରଖି
ଲୋକେ ହେଲେ ହେଁ ଚିରଦୁ଼ଃଖୀ
ମିଳେନି ତା’ର ପ୍ରତିକାର
ଏପରି ଦଶା ଏ ଦେଶର
ଚିଂତା, ଭାବନା ଦେଣନେଣ
ହୋଇଛି ନିୟଂତ୍ରଣାଧୀନ
ସଭିଏଁ ରହିଲେ ନିରବ
ବଢ଼େନି ଭାଷାର ଗୌରବ
ନୂଆ ପ୍ରକାର ଭେଦଭାବ
ଭାଷାରେ ପକାଏ ପ୍ରଭାବ
କ୍ଷମତାଧାରୀ ବହୁ ବ୍ୟକ୍ତି
କରୁଥାଆଂତି ପୁନରୁକ୍ତି
ଧନୀ, ଜ୍ଞାନୀ ସଭିଏଁ ମିଶି
ସ୍ବଭାଷା ଦେବେ ଯଦି ନାଶି
କରିବା କାହାକୁ ଗୁହାରି
‘ ଭାଷାକୁ ଦିଅଂତୁନି ମାରି ‘
କେବଳ ନିରକ୍ଷର ଲୋକ
ରଖଂତି ସ୍ବଭାଷାର ଟେକ
ଭାଷାରେ ଜିଅଂତି ଜୀବନ
ଭାଷାରେ ମରଂତି ମରଣ
ଅନେକ ବହୁଭାଷା-ଜ୍ଞାନୀ
ସବୁ ବିଷୟ ବୁଝି, ଜାଣି
ଏଡ଼ାଇ ଦିଅଂତି ସ୍ବଭାଷା
ତେଣୁ ତ ଏପରି ଦୁର୍ଦଶା
Comments are closed.