Latest Odisha News

BREAKING NEWS

କବିତା : କସ୍ତୁରୀ

ପ୍ରିୟମ୍ବଦା ସାମଲ

କିଏ ସେ ଜଗାଏ ମନ ଆଇନାରେ
ଅନ୍ତର୍ଦ୍ୱନ୍ଦ ଅହରହ
ଉପବନ ମନମୃଗ ଅନ୍ୱେଷଣେ
କସ୍ତୁରୀ ବାସ୍ନା ପ୍ରବାହ।

ସ୍ମୃତିର ଝଲକେ କସ୍ତୁରୀ ପାଲଟେ
ସ୍ୱପ୍ନର ସ୍ମୃତିର ଛାଇ
ଅନ୍ତର ଆତ୍ମାକୁ ପ୍ରଶ୍ନବାଚୀ କରେ
କସ୍ତୁରୀ ବାସ୍ନା କାହିଁ?

ସପନ କୁହେଳୀ ଅଧୁରା ପ୍ରଜ୍ଜ୍ଵଳି
ନିର୍ବାପିତ ଅଜାଣତେ
ହାତ ପାଶେ ଥାଇ ଅଦୃଶ୍ୟ ଲାଗଇ
କସ୍ତୁରୀ ହେଲାକି ସତେ!

ଖୋଜଇ ମନର ମାୟାରେ ବାୟାରେ
କୋଣ ଅନୁକୋଣ ସର୍ବ
ସୂର୍ଯ୍ୟର ରଶ୍ମୀରେ ଚନ୍ଦ୍ରର ଜ୍ୟୋସ୍ନାରେ
ଭ୍ରମିତ ମନର ପର୍ବ।

ଜଳି ଜଳାଉଛି ଚିନ୍ତା ଚେତନାରେ
ଖୋଜୁଛି ଚଞ୍ଚଳ ମନ
ରୂପ ଯଉବନ ଧନ ପାରାବାରେ
ପ୍ରତିକ୍ଷଣ ଅନ୍ୱେଷଣ।

ମିଳନ ବିଚ୍ଛେଦ ଜୀବନ ମାଧୁରୀ
କସ୍ତୁରୀ ଅନ୍ବେଷେ ମୃଗ
ସବୁରି ରଙ୍ଗର ସମାହାର ସେହି
ପ୍ରାଣେ ଜଗାଏ ତରଙ୍ଗ।

ଗଛରୁ ତ ଫୁଲ ଫୁଲରୁ ପାଖୁଡ଼ା
ଝରି ପତିତ ଧାରାରେ
ଶିରା ପ୍ରଶିରରେ ଜୀବନ କସ୍ତୁରୀ
ପ୍ରବାହିତ ହୃଦୟରେ।

ଭୁବନେଶ୍ୱର

 

Leave A Reply

Your email address will not be published.