Latest Odisha News

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରୀ’ ଫିଲ୍ମ ବ୍ୟାନ୍ ବିରୋଧରେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହେଲେ ପ୍ରଯୋଜକ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ରାଜ୍ୟରେ ‘ଦି କେରଳ ଷ୍ଟୋରୀ’କୁ ବ୍ୟାନ୍ କରିବା ପରେ ବିବାଦ ଆହୁରି ବଢ଼ିଛି। ମମତାଙ୍କ ନିଷ୍ପତ୍ତିଙ୍କ ବିରୋଧରେ ଫିଲ୍ମର ନିର୍ମାତା ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ବ୍ୟାନ୍ ହଟାଇବା ସହ ତାମିଲନାଡୁରେ ଫିଲ୍ମର ସ୍କ୍ରିନିଂ ପାଇଁ ସିନେମା ହଲ୍‌ଗୁଡ଼ିକୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଫିଲ୍ମ ନିର୍ମାତା କୋର୍ଟରେ ଆବେଦନ କରିଛନ୍ତି।

ପଶ୍ଚିମବଙ୍ଗରେ ହିଂସା ରୋକିବା ଓ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ସୋମବାର ମମତା ଫିଲ୍ମକୁ ବ୍ୟାନ୍ କରିବାକୁ ଘୋଷଣା କରିଥିଲେ। ବିଜେପି ଫିଲ୍ମକୁ ଫଣ୍ଡିଂ କରି ହିଂସା ସୃଷ୍ଟି କରିବାକୁ  ଚାହୁଁଛି ବୋଲି ମମତା ଅଭିଯୋଗ କରିଥିଲେ। ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗରେ ଫିଲ୍ମକୁ ବ୍ୟାନ୍ କରାଯାଇଥିଲା।

ଏହାପରେ ଫିଲ୍ମ ପ୍ରଯୋଜକ ବିପୁଲ ଶାହ ମମତାଙ୍କ ନିର୍ଦ୍ଦେଶ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଘୋଷଣା କରିଥିଲେ। ଆଜି ତାଙ୍କ ଟିମ୍ କୋର୍ଟର ଦ୍ୱାରସ୍ଥ ହୋଇଛି। ଏହା ପୂର୍ବରୁ ତାମିଲନାଡୁରେ ସବୁ ସ୍କ୍ରିନ୍‌ରେ ଫିଲ୍ମକୁ ହଟାଇବା ପାଇଁ ଅନୁରୋଧ କରାଯାଇଥିଲା।

ସୂଚନା ଥାଉକି କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀଙ୍କୁ ଜାଲରେ ଫସାଇ ସେମାନଙ୍କର ଧର୍ମ ପରିବର୍ତ୍ତନ କରିବା ସହ ସେମାନଙ୍କୁ ଆତଙ୍କବାଦ ସଂଗଠନ ଆଇଏସ୍ଏସ୍ଆଇରେ ଭର୍ତ୍ତି କରିବାକୁ ଆଫଗାନିସ୍ତାନ, ୟେମେନ ଓ ସିରିଆକୁ ପଠାଯାଉଥିଲା। ପାଖପାଖଇ ୩୨ ହଜାର ଯୁବତୀଙ୍କୁ ଏଭଳି ଫସାଯାଇଛି ବୋଲି ଫିଲ୍ମରେ କାହାଣୀର ପୃଷ୍ଠ ଭୂମି ରହିଛି। ହେଲେ ଅନେକ ଏହାକୁ ମିଥ୍ୟ ବୋଲି କହି ବିରୋଧ କରୁଛନ୍ତି।

Comments are closed.