Latest Odisha News

ପରଲୋକରେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଗଭୀର ଶୋକବ୍ୟକ୍ତ

ଭୁବନେଶ୍ୱର : ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ ଭାବେ ଖ୍ୟାତ ଥିଲେ । ବନାରସ, ବମ୍ବେ, କୋଲକାତା ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ନିଜର କଳା ନୈପୁଣ୍ୟର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ବୁଣାକାରମାନଙ୍କୁ ନୂତନ ପଦ୍ଧତି, ନୂଆ ରଙ୍ଗ, ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ହସ୍ତଶିଳ୍ପର ଉନ୍ନତିକରଣ ଏବଂ ସେମାନଙ୍କୁ ଆଧୁନିକ କୌଶଳ ପ୍ରୟୋଗରେ ମାର୍ଗଦର୍ଶକ ଥିଲେ ।

ତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । କଳାକ୍ଷେତ୍ରରେ ତାଙ୍କର ଯଶକୀର୍ତ୍ତି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହେବା ସହ ସେ ସର୍ବଦା ଶିଳ୍ପୀକୂଳର ପ୍ରେରଣାର ପ୍ରତୀକ ଓ ଉତ୍ସହର ଉତ୍ସ ହୋଇ ରହିବେ । ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ମନ୍ତ୍ରୀ ଶ୍ରୀ ପାତ୍ର ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି ।

୧୯୪୮ ମସିହା ଅପ୍ରେଲ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ହରିପୁର ଶାସନର ପ୍ରଖ୍ୟାତ ଜମିଦାର ଲକ୍ଷ୍ମୀଧର ପଟ୍ଟନାୟକ ଏବଂ ନକ୍ଷତ୍ରମଣି ପଟ୍ଟନାୟକଙ୍କ କୋଳ ମଣ୍ଡନ କରିଥିବା ଲଲାଟ ମୋହନ ପଟ୍ଟନାୟକ ନିଜର ସୃଜନଶୀଳ କଳାର ସାଧନା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ପୁରସ୍କାର ବିପ୍ର ଚରଣ ମହାନ୍ତି ଫାଉଣ୍ଡେସନ୍‌ ଟ୍ରଷ୍ଟ ପୁରସ୍କାର, ରଘୁରାଜପୁର ଗୁରୁକୁଳ ଆଶ୍ରମ ପୁରସ୍କାର, ଶିଳ୍ପୀ ସମ୍ରାଟ ପୁରସ୍କାର, କଳା ଜ୍ୟୋତି ସମ୍ମାନ, ବୟନ ବିଭବ ସମ୍ମାନ (୨୦୧୮), ଶାରଳା ସମ୍ମାନ (୨୦୧୯), ଧର୍ମପଦ ପୁରସ୍କାର (୨୦୨୧) ସମେତ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ ।

ସ୍ୱର୍ଗତ ପଟ୍ଟନାୟକଙ୍କ ଶବାଧାର ଓଡ଼ିଶା ଲଳିତ କଳା ଏକଡମୀ ପରିସରକୁ ଆସିବା ପରେ ସେଠାରେ ଓଡ଼ିଶା ଲଳିତ କଳା ଏକାମେୀର ସଚିବ ପଞ୍ଚାନନ ସାମଲ, ଡାଃ ଅଲେଖ ଚନ୍ଦ୍ର ସାହୁ, ଜୟନ୍ତ କୁମାର ଦାସ, ଚିନ୍ତାମଣି ବିଶ୍ୱାଳ, ମିନକେତନ ପଟ୍ଟନାୟକ, ଜନପ୍ରିୟ ଦେବତା, ସମୀର କୁମାର ରାଉତ ଓ ବହୁ ଶିଳ୍ପୀ, ବୁଦ୍ଧିଜୀବୀ ଶେଷଦର୍ଶନ ପୂର୍ବକ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 

Leave A Reply

Your email address will not be published.