Latest Odisha News

ଶଶୀ ଭୂଷଣ, ଅର୍କେଶଙ୍କ ସହ ଏହି ବିଜେଡି ନେତାଙ୍କ ନାଁରେ ରହିଛି ଘରୋଇ ହିଂସା ଓ ନାରୀ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର:ପୂର୍ବତନ୍ତ୍ର ମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବୋହୂ ରୋନାଲି ଯୌତୁକ ନର୍ଯାତନା ଅଭିଯୋଗ ଆଣିବା ପରେ ଆଜି ମୁହଁ ଖୋଲିଛନ୍ତି ଶ୍ୱଶୁର । ବୋହୂଙ୍କ ଅଭିଯୋଗକୁ ଖଣ୍ଡନ କରି ଶଶୀଭୂଷଣ କହିଛନ୍ତି, ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ପୁଅ ନାଁରେ ଆସିଥିବା ପରକ୍ରିୟା ପ୍ରୀତି ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ବିବାହର ୨ ବର୍ଷ ପରେ ଯୌତୁକ ଅଭିଯୋଗ ଆସୁଛି ଯାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ୨ ବର୍ଷ ତଳେ ତାଙ୍କ ପୁଅର ବିବାହ ହୋଇଥିଲା । ତାଙ୍କ ବୋହୂ ତାଙ୍କ ଘରେ ମାତ୍ର ଏକମାସ ୧୧ ଦିନ ରହିଛନ୍ତି । ଏବେ ଦୁଇ ବର୍ଷ ପରେ ଏପରି ଅଭିଯୋଗ ତାଙ୍କୁ କଷ୍ଟ ଦେଇଛି ବୋଲି ସେ ମିଡିଆକୁ କହିଛନ୍ତି । ତେବେ ସେ ‘ଚତୁର୍ଥୀ କର୍ମ’ ଦିନ କେବଳ ଏକ ବେଡସିଟ ପାଇଁ କହିଥିଲେ  ।  ସେ ନିଜ ପୁଅର ପରକୀୟା ପ୍ରୀତି ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି ।

୨୦୧୦ରୁ ୨୦୧୪ ଯାଏ ରାଜ୍ୟ ସଭା ସାଂସଦ ଥିବା ଶଶୀଭୂଷଣ ବେହେରା କହିଛନ୍ତି, ସେ ଯୌତୁକ ପ୍ରଥାକୁ ଖୁବ ଘୃଣା କରନ୍ତି । ଏପରିକି ବିବାହ ସମୟରେ ଅତିଥିଙ୍କୁ ଉପହାର ନ ଆଣିବା ପାଇଁ ସେ ଅନୁରୋଧ କରିଥିଲେ ବୋଲି କହିଛନ୍ତି ।

ତେବେ ଏହି ବିବାଦର ସମାଧାନ ପୁଅ-ବୋହୂ ଚାହିଁଲେ କରିପାରିବେ । ସେମାନେ ପ୍ରାପ୍ତ ବୟସ୍କ ଏବଂ ଶିକ୍ଷିତ । ସେମାନେ ଚାହିଁଲେ ଆପୋଷ ବୁଝାମଣା ଭିତରେ ଏହାର ସମାଧାନ କରିପାରିବେ ବୋଲି କହିଛନ୍ତି ଶଶୀଭୂଷଣ ।

ସୂଚନାଥାଉ କି, ବିବାହର ଠିକ ୨ ବର୍ଷ ପରେ ରୋନାଲି ବାଙ୍କୀ ଥାନାରେ ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକଙ୍କ ବିରୋଧରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ସେ କହିଛନ୍ତି, ୧୦ରୁ ୧୨ ଦିନ ପରେ ସେମାନେ ନିର୍ଯାତନା ଦେବ ଆରମ୍ଭ କରିଥିଲେ । ସ୍ୱାମୀ, ଶାଶୂ ଘରର ଅନ୍ୟ ସଦସ୍ୟ ଏପରିକି ବିଧାୟକ ଶ୍ୱଶୁର ତାଙ୍କୁ ନିର୍ଯାତନା ଦେଉଥିଲେ । ନିର୍ଯାତନା ଯେତେବେଳେ ଅସହ୍ୟ ହେଲା ସେ ୨୦୨୧ ଜୁଲାଇ ୩୦ ତାରିଖରେ ଏ ନେଇ ତାଙ୍କ ବାପାଙ୍କୁ କହିଥିଲେ । ପରଦିନ ତାଙ୍କ ବାପା ଆସି ତାଙ୍କ ସେଠାରୁ ନେଇ ଯାଇଥିଲେ । ରୋନାଲି ତାଙ୍କ ସ୍ୱାମୀଙ୍କର ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି । ଶାଶୂଘର ଲୋକେ ତାଙ୍କୁ ବାପଘରୁ ୪୦ ଲକ୍ଷ ଟଙ୍କା ଆଣିବା ପାଇଁ ଚାପ ପକାଉଥିବା ମଧ୍ୟ ସେ କହିଛନ୍ତି ।

ରୋନାଲିଙ୍କ ଅଭିଯୋଗକୁ ଭିତ୍ତି କରି ବାଙ୍କି ପୋଲିସ ବିଧାୟକ ଶଶୀଭୂଷଣ, ତାଙ୍କ ପୁଅ ସତ୍ୟ ପ୍ରକାଶ ଏବଂ ଶାଶୂ ସୁପ୍ରଭାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ସେପଟେ, ବଲାଙ୍ଗିର ରାଜପରିବାର ବିରୋଧରେ ଆସିଛି ସମାନ ଅଭିଯୋଗ । ବିଜେଡି ନେତା    ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କ ପତ୍ନୀ ଆଦ୍ରିଜା ଶାଶୂ ଘର ବିରୋଧରେ ଘରୋଇ ହିଂସା ଏବଂ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏ ନେଇ ସେ ଉତ୍ତରଖଣ୍ଡ ଡେରାଡୁନ ଥାନାରେ ମାମଲା ଦାଏର କରିଛନ୍ତି । ଏଠି କହିରଖିବୁ, ଅର୍କେଶ ଜଣେ ମଡେଲ । ୨୦୧୯ ନିର୍ବାଚନରେ ସେ ବିଜେଡି ଟିକେଟରେ ବଲାଙ୍ଗିର ବିଧାନସଭା ଆସନରୁ ଲଢି ହାରିଥିଲେ ।

ଦୁଇ ଦୁଇ ଜଣ ନେତାଙ୍କ ବିରୋଧରେ ଏପରି ବଧୂ ନିର୍ଯାତନା ଅଭିଯୋଗ ଆସିବା ପରେ ଦଳ ଚୁପ ରହିଛି । ଖାଲି ଏହି ଦୁଇ ନେତା ନୁହେଁ, ଏହା ପୂର୍ବରୁ ଅନେକ ବିଜେଡି ନେତାଙ୍କ ବିରୋଧରେ ଏପରି ଅଭିଯୋଗ ରହିଛି ।

ଅଗଷ୍ଟ  ୨୦୨୧ରେ  ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଆସିଥିଲା ସମାନ ଅଭିଯୋଗ । ଭର୍ତ୍ତୃହରି,  ତାଙ୍କ ପତ୍ନୀ ମହାଶ୍ୱେତା ଓ ପୁଅ ଲୋକରଞ୍ଜନଙ୍କ ବିରୋଧରେ   ବୋହୂ ସାକ୍ଷୀ  ନିର୍ଯାତନା ଅଭିଯୋଗ ଆଣିଥିଲେ । ଏ ନେଇ ଭୋପାଳ ପୋଲିସ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଥିଲା ।

ସେହିପରି ୨୦୨୦ରେ କେନ୍ଦ୍ରାପଡା ସାସଂଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା  ଓ ନିର୍ଯାତନା ଅଭିଯୋଗ ଆଣିଥିଲେ ।  ଅନୁଭବ ବର୍ଷାଙ୍କ ଠାରୁ ଡିଭୋର୍ସ ଚାହୁଁଥିବାବେଳେ ମାମଲା କୋର୍ଟରେ ଅଛି ।

ସେହିପରି ୨୦୧୩ରେ ପୂର୍ବତନ ଆଇନ ମନ୍ତ୍ରୀ ରଘୁନାଥ ମହାନ୍ତି ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିଲେ । ତାଙ୍କର ବୋହୂ ବର୍ଷା ସୋନି ଚୌଧୁରୀଙ୍କ ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଗିରଫ କରାଯାଇଥିଲା ।   ହେଲେ ପରବର୍ତ୍ତୀ ସମୟରେ ରାଜାଶ୍ରୀ-ବର୍ଷା ଆପୋଷ ବୁଝାମଣା ମଧ୍ୟରେ ବିବାଦର ସମାଧାନ କରିଥିଲେ ଏବଂ ଡିଭୋର୍ସ ପ୍ରତ୍ୟାହାର କରି ଏକାଠି ରହିଥିଲେ ।

Comments are closed.