Latest Odisha News

BREAKING NEWS

କର୍ଣ୍ଣାଟକ ପରେ ସବୁ ଜିତିବା ଯୋଜନାରେ କଂଗ୍ରେସ

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ସହ ମନ୍ତ୍ରୀମଣ୍ଡଳର ଶପଥ ପରେ ଏବେ କଂଗ୍ରେସ ନେତୃତ୍ୱ ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି। ଖୁବ କମ ଦିନ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ନିର୍ବାଚନ ହେବ। ତେଣୁ ଏ ସବୁ ରାଜ୍ୟରେ ବିଜୟ ହାସଲ କରିବାକୁ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ପ୍ରସ୍ତୁତି ଚାଲିଛି।

ଚଳିତ ମାସ ୨୪ ରୁ ୨୬ ତାରିଖ ମଧ୍ୟରେ ଏହି ବୈଠକ ହେବ। କେନ୍ଦ୍ରୀୟ ନେତୃତ୍ୱଙ୍କ ସମେତ ବୈଠକରେ ନିର୍ବାଚନ ହେବାକୁ ଥିବା ରାଜ୍ୟର ନେତୃତ୍ୱ ଯୋଗ ଦେବେ। ବର୍ତ୍ତମାନ ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ଶାସନ କରୁଥିବା ବେଳେ ସେଠାରେ ସରକାର ବିରୋଧରେ ଆଣ୍ଟି ଇନକମ୍ବାନ୍ସି ଓ ଦଳ ଭିତରେ ଗୋଷ୍ଠିକନ୍ଦଳ ରହିଛି। ତେଣୁ ଏଠାରେ କର୍ଣ୍ଣାଟକ ଢାଞ୍ଚା ଆପଣାଇବାକୁ ଯୋଜନା କରିଛି ଦଳ।

ସେହିଭଳି ମଧ୍ୟପ୍ରଦେଶରେ କ୍ଷମତାକୁ ଫେରିବାକୁ ଦଳ ଉଦ୍ୟମକୁ ଜୋରଦାର କରିଛି। ତେଣୁ ଏ ସବୁକୁ ଆଖି ଆଗରେ ରଖି ଏକ ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ କରିବା ପାଇଁ କଂଗ୍ରେସର ଜାତୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବୈଠକ ହେବ।

ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଆଗୁଆ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଦେଇ ଭାରତ ଯୋଡୋ ଯାତ୍ରା ଯାଇଥିବାରୁ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ଆକ୍ଟିଭ ହୋଇଯାଇଛନ୍ତି।

ସେହିଭଳି ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଦ୍ୱାରା ହୋଇଥିବା ଭଲ ଯୋଜନାକୁ ବଡ଼ ଆକାରରେ ପ୍ରଚାର ପ୍ରସାର କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା ହେବ ବୋଲି କୁହାଯାଉଛି।

କିନ୍ତୁ କଂଗ୍ରେସ ବହୁ ରାଜ୍ୟରେ ନେତୃତ୍ୱ କନ୍ଦଳ ଓ ବିଭିନ୍ନ ଗୋଷ୍ଠୀ ଯୋଗୁ ସମସ୍ୟାର ସମ୍ମୁଖୀନ ହେଉଛି। ରାଜସ୍ଥାନରେ ଗେହଲଟ ପାଇଲଟଙ୍କ ମଧ୍ୟରେ ବିବାଦ ଉଗ୍ର ରୁପ ନେଇଛି। ଛତିଶଗଡ଼ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ଟି ଏସ ସିଂଦେଓଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢେଇ ଚାଲିଛି। ସେହିପରି ତେଲେଙ୍ଗାନରେ ପିସିସି ସଭାପତି ରେଭନ୍ତ ରେଡ୍ଡୀ ରାଜ୍ୟ କଂଗ୍ରେସ ନେତୃତ୍ୱ ଦ୍ୱାରା ବିରୋଧର ଶିକାର ହେଉଛନ୍ତି।

ତେଣୁ ଏସବୁକୁ ମ୍ୟାନେଜ କରି ଦଳ ଯେଭଳି କର୍ଣ୍ଣାଟକରେ ଜିତିଲା ସେଭଳି କରିବାକୁ ଦଳ ଯୋଜନା କରୁଛି। ସେପଟେ କର୍ଣ୍ଣାଟକରେ ଯେଭଳି କଂଗ୍ରେସ ଗ୍ୟାରେଣ୍ଟି କାମ କଲା ସେଭଳି ଅନ୍ୟ ରାଜ୍ୟରେ ଏହାକୁ ଏକ ବଡ଼ ଅସ୍ତ୍ର କରିବାକୁ ଦଳ ଯୋଜନା କରିଛି। ସେହିଭଳି ବିଭିନ୍ନ ରାଜ୍ୟର ଲୋକଙ୍କ ଆବଶ୍ୟକତା ଓ ସ୍ଥିତିକୁ ଦେଖି ସମ୍ପୃକ୍ତ ରାଜ୍ୟ ପାଇଁ ଗ୍ୟାରେଣ୍ଟି ପ୍ରସ୍ତୁତ କରାଯିବାକୁ ଯୋଜନା ହୋଇଛି।

ବୈଠକରେ ଏ ନେଇ ରାଜ୍ୟ ନେତୃତ୍ୱଙ୍କ ମତାମତ ନିଆଯିବ। ସରକାର ନ ଥିବା ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ଦଳ ରାଜ୍ୟ ସରକାରର ଦୁର୍ନୀତିକୁ ମୁଖ୍ୟ ଅସ୍ତ୍ର କରିବ। କିନ୍ତୁ ଦଳ ସମ୍ପୂର୍ଣ୍ଣ ପଜିଟିଭ ଢଙ୍ଗରେ ପ୍ରଚାର କରିବ। ଦଳ କ୍ଷମତାକୁ ଆସିଲେ କଣ କରିବ ସେ କଥା କହିବ।

ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ କଂଗ୍ରେସ ଏବେଠୁ ରାଜ୍ୟରେ ମିଳିତ ନେତୃତ୍ୱକୁ ସମ୍ମୁଖକୁ ଆଣି କାମକୁ ତୀଵ୍ର କରିବ ବୋଲି କୁହାଯାଉଛି। ଯେଉଁଠି ଦଳୀୟ ନେତାଙ୍କ ମଧ୍ୟରେ କନ୍ଦଳ ଚାଲିଛି ସେଠି ଏ ସବୁକୁ ବନ୍ଦ କରି ବିପକ୍ଷ ଦଳ ବିରୋଧରେ ଏକ ହୋଇ ଲଢ଼ିବାକୁ ନିର୍ଦେଶ ଦିଆଯିବ ବୋଲି ଆଲୋଚନା ହେଉଛି।

ହିମାଚଳ ଓ କର୍ଣ୍ଣାଟକରେ ଯେଭଳି ରାଜ୍ୟ ନେତୃତ୍ୱଙ୍କୁ ଆଗକୁ ଆଣି ଏକତାର ବାର୍ତ୍ତା ଦେଇ ଦଳ ସଫଳତା ପାଇଲା ସେଭଳି ସବୁ ରାଜ୍ୟରେ କରିବାକୁ ଯୋଜନା ହେଉଥିବା କୁହାଯାଉଛି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ବିଜେପି ସହ ସିଧା ଲଢେଇରେ ଥିବା ବେଳେ ତେଲେଙ୍ଗାନାରେ ତ୍ରିମୁଖୀ ଲଢେଇ ହେବ।

କିନ୍ତୁ ହିମାଚଳପ୍ରଦେଶ ଓ କର୍ଣ୍ଣାଟକରେ ବିଜୟ ପରେ ସବୁ ଦିଗକୁ ମ୍ୟାନେଜ କରି କଂଗ୍ରେସ ଜିତିବାକୁ ଚାହୁଁଚି ବୋଲି ଚର୍ଚ୍ଚା ହେଉଛି। ତେଣୁ କଂଗ୍ରେସ ପକ୍ଷରୁ ହେବାକୁ ଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ କେ ସି ଭେନୁଗୋପାଳ ଯୋଗ ଦେବେ।

ଏଥିରେ ଚାରି ରାଜ୍ୟର ପିସିସି ସଭାପତି ଏବଂ ବିଧାୟକ ମାନେ ଯୋଗ ଦେବେ। ବହୁ ବରିଷ୍ଠ ନେତା ମଧ୍ଯ ବୈଠକରେ ଯୋଗ ଦେବେ। ତେଣୁ ଏହି ବୈଠକ ପରେ ନିର୍ବାଚନ ହେବାକୁ ଥିବା ପ୍ରମୁଖ ରାଜ୍ୟରେ ଦଳ ନୂଆ ଷ୍ଟ୍ରାଟେଜି ସହ ଜୋରଦାର କାର୍ଯ୍ଯ କରିବ ବୋଲି ଚର୍ଚ୍ଚା ହେଉଛି।

Comments are closed.