Latest Odisha News

BREAKING NEWS

ଶିମିଳିପାଳ ଫରେଷ୍ଟଗାର୍ଡ ମୃତ୍ୟୁ ଘଟଣାରେ ଦୁଇ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (ଏସଟିଆର)ରେ ଜଣେ ଫରେଷ୍ଟ ଗାର୍ଡଙ୍କ ଦୁଃଖଦ ମୃତ୍ୟୁ ପରେ ଏହି ଘଟଣାରେ ମଙ୍ଗଳବାର ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ମୋଟ୍ ୧୦ ଜଣ ଏହି ହତ୍ୟାକାଣ୍ଡ ମାମଲାରେ ଜଡ଼ିତ ଥିବା ସୂଚନା ରହିଛି।

ବନ୍ୟପ୍ରାଣୀ ବିଭାଗ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ସୁଶୀଲ କୁମାର ପୋପଲି ଦୁଇ ଜଣ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରିଥିବା ନିଶ୍ଚିତ କରିଥିବା ବେଳେ ଅବଶିଷ୍ଟ ବ୍ୟକ୍ତିଙ୍କୁ ଧରିବା ପାଇଁ ଏବେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି କହିଛନ୍ତି।ଅପରାଧର ଭୟାବହତାକୁ ଦର୍ଶାଇ ଅଭିଯୁକ୍ତ ପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋପଲି ଗୁରୁତ୍ୱାରୋପ କରିଛନ୍ତି। ତଦନ୍ତର ଏକ ଅଂଶ ସ୍ୱରୂପ ଗିରଫ ଶିକାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ ଜବତ କରାଯାଇଛି।

ପରିସ୍ଥିତିକୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ପାଇଁ ବନ କର୍ମଚାରୀ ଏବଂ ପୁଲିସକୁ ନେଇ ଗଠିତ ପାଞ୍ଚଟି ଟିମ୍ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଚଳାଇଛନ୍ତି। ସମସ୍ତ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ସମନ୍ୱୟ ରକ୍ଷା କରିବା ପାଇଁ ପିସିସିଏଫ୍ ଡିଜି ଓ ଅତିରିକ୍ତ ଡିଜିଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି।

ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପ୍ରାକୃତିକ ବାସସ୍ଥଳୀକୁ ସୁରକ୍ଷିତ ରଖିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଥିବା ବନରକ୍ଷୀମାନେ କେତେ ବିପଦ ଓ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି, ଏହି ମର୍ମନ୍ତୁଦ ଘଟଣା ତାହା ସୂଚାଉଛି।

ଉଲ୍ଲେଖଯୋଗ୍ୟ, ଶିମିଳିପାଳ ପିଠାବଟା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାଉଁଶଖାଳ ବିଟରେ ନିତିଦିନିଆ ପାଟ୍ରୋଲିଂ ସମୟରେ ଏଭଳି ଦୁର୍ଭାଗ୍ୟଜନକ ଘଟଣା ବନବିଭାଗକୁ ଚକିତ କରିଦେଇଛି। ବିମଳ କୁମାର ଜେନା ଶିକାରୀଙ୍କ ସହ ମୁହାଁମୁହିଁ ହୋଇ ସଫଳତାର ସହ ମାରଣାସ୍ତ୍ର ଜବତ କରିଥିଲେ। ପାଟ୍ରୋଲିଂ ସମୟରେ ଫୋନରେ କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ତାଙ୍କ ଛାତିରେ ଗୁଳି ବାଜିଥିଲା।

Comments are closed.