ଅନୁବାଦ କବିତା : କଥା
ପ୍ରେମେନ୍ଦ୍ର ମିତ୍ର (୧୯୦୪-୧୯୮୮) ବଙ୍ଗଳାର ଏଇ ପ୍ରଥିତଯଶା ସାହିତ୍ୟକ ଓ ଚଳଚିତ୍ରକାର ନିଜ ପିତାଙ୍କର କର୍ମସ୍ଥଳ ବାରଣାସୀରେ ସେପ୍ଟେମ୍ବର ୪,୧୯୦୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ସେ ଅନେକ ବଙ୍ଗଳା ଚଳଚିତ୍ରର ନିର୍ଦ୍ଦେଶକ ତଥା ବହୁ ସିନେମାର କାହାଣୀ, ଚିତ୍ରନାଟ୍ୟ ଲେଖକ ଓ ଉପଦେଷ୍ଟା। ସ୍ବର୍ଗତଃ ମିତ୍ର ରବୀନ୍ଦ୍ର ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର, ପଦ୍ମଶ୍ରୀ ତଥା ଦେଶିକୋତ୍ତମ ପୁରସ୍କାରରେ ସମ୍ମାନିତ। ୧୯୮୮ ମେ ମାସ ୩ ତାରିଖଦିନ ପାକସ୍ଥଳୀ କର୍କଟ ରୋଗରେ ଏହି ମହାନ୍ ବ୍ୟକ୍ତିତ୍ବଙ୍କ ପରଲୋକ ଘଟିଥିଲା।
ମୂଳ ବଙ୍ଗଳା: ପ୍ରେମେନ୍ଦ୍ର ମିତ୍ର
ତା’ପରେ ବି ବାକିଥାଏ କିଛି କଥା,
ବର୍ଷା ହେଇ ଗଲାପରେ
ଭିଜାଥଣ୍ଡା ପବନରେ
ଓଦା ମାଟିର ଗନ୍ଧ ପରି
ଝାପସା ଝାପସା ମେଘେ ଭିଜା କଥା।
କିଏ ଜାଣିଛି ସେଇଟା କଥା
ଅବା କମ୍ପି ଉଠୁଥିବା ରଙ୍ଗୀନ ସ୍ତବ୍ଧତା!
ସେ କଥା ତାକୁ କହି ହୁଏ ନାହିଁ
କେବଳ ବଞ୍ଚିବାର ସଂକଳ୍ପ
ଓ ଫାଙ୍କ ମଝିରେ
ଅବାକ୍ ହୃଦୟ,ନିଜ ସାଥେ ଏକାଏକା
ସେଇ ସବୁ ବାଷ୍ପାଚ୍ଛନ୍ନ କଥା।
ଅନେକ ବିଚିତ୍ର କଥା
ହୁଏତ ମୁଁ କହିଛି ତା କାନେ
ଅନ୍ତରର କେତେଟା ବା ମାନେ
କିନ୍ତୁ ଅସଲ ଜାଗାରେ
କଥା ଠିକ୍ ଧରେ ।
ଯଦି ଖୁସି ହୁଏ ,ପାଖକୁ ଲାଗି ବସ
ବଢାଇ ଦିଏ ହାତ, ଧର ବୋଲି କୁହେ
ମଥାଟିକୁ କାନ୍ଧରେ ଆଉଜାଇଦିଏ,
ସୁବାସିତ କେଶରାଶି
ପାଲଟେ ମୋର ଗହନ, ନିବିଡ ରାତି
କପାଳର ଟିପାଟିରେ
ପ୍ରିୟତମ ତାରଟିର ସ୍ଥିତି।
ନିକଟର ପୃଥିବୀ ଆମକୁ ରଖେ ଘୋଡାଇ
ଆଉ ଆଖପାଖର ଯେତେ ଚିହ୍ନା ଜିନିଷ
ତାଙ୍କରି ଦ୍ଵାରା ଢ଼ାଙ୍କିଯାଇ
ଏଇ ଶୁନ୍ୟ ଆକାଶରେ
ଯେଉଁ ଫେଣ ରାଶି ଉଠେ ଉତୁରି
ମୁହୂର୍ତ୍ତ ଗୁଡ଼ିକୁ ମନ୍ଥନ କରି
ତାହାରି ନିଶାରେ ସବୁ ସଂଶୟକୁ
ଯାଏ ମୁଁ ପାଶୋରି।
ଅସୀମ ଏ ପରିଧିର ଧୂ, ଧା
ଘୋ, ଘା, ଦେଖୁଛ ତ ସଖୀ
ଉପରେ ଓ ତଳେ ରଚ ଏକ
ଛିଦ୍ରହୀନ , କ୍ଷଣିକର ନୀଡ଼
ଗାଢ଼ ଚେତନାର ସ୍ବପ୍ନକୁ ହରଣ କରି
ମହାକାଶ ନିଶ୍ୱାସରେ
ଏଇ ସାମୟିକ ସୁଖ ଓ ବିଶ୍ୱାସ
ହେଉ ରୋମାଞ୍ଚିତ ଓ ନିବିଡ।
ଛାତକୁ ଯାଅନା,
ସେଠି ଆକାଶ ଅନେକ ବିସ୍ତୀର୍ଣ୍ଣ,
ସୀମହୀନ , ସେଠି ତାରାମାନଙ୍କ
ଆଖିରେ ଅନେକ ପ୍ରଶ୍ନ
ସ୍ବପ୍ନ ସବୁ ହୋଇବ ବିଲୀନ।
ଅନୁବାଦ: ମନୋରଞ୍ଜନ ହୋତା
Comments are closed.