Latest Odisha News

ବିଦେଶ ଗଲେ ଖୋଲିଦେବେ ପୋଲ, ରାହୁଲଙ୍କୁ ପାସପୋର୍ଟ ମନା !

ଭୁବନେଶ୍ୱର: ରାହୁଲଙ୍କ ପାସପୋର୍ଟକୁ ନେଇ ବିବାଦ। ବିଭିନ୍ନ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଏବେ ପାସପୋର୍ଟ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଦିଲ୍ଲୀର ରାଉଜ ଆଭିନିୟୁ କୋର୍ଟରେ ନୂଆ ପାସପୋର୍ଟ ଆବେଦନର ଏନଓସି ପାଇଁ ରାହୁଲ ଆବେଦନ କରିଛନ୍ତି।

କିନ୍ତୁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କୋର୍ଟଙ୍କ ନିକଟରେ ଏହାକୁ ବିରୋଧ କରିଛନ୍ତି। ନୂଆ ପାସପୋର୍ଟ ପାଇଁ ଏନଓସି ଦେବାକୁ ସେ ବିରୋଧ କରିଛନ୍ତି। ଯଦି ରାହୁଲ ଗାନ୍ଧୀଙ୍କୁ ବିଦେଶ ଯିବାକୁ ଦିଆଯାଏ ତାହେଲେ ଏହା ନ୍ୟାସନାଲ ହେରାଲଡ଼ ମାମଲାର ତଦନ୍ତ ଉପରେ ପ୍ରଭାବ ପକାଇପାରେ।

ତେଣୁ କୋର୍ଟ ଏ ସମ୍ପର୍କରେ ଆସନ୍ତାକାଲି ଅର୍ଥାତ ୨୬ ତାରିଖରେ ସ୍ୱାମୀଙ୍କୁ ପକ୍ଷ ରଖିବାକୁ କହିଛନ୍ତି। ଯାହାକୁ ନେଇ ଏବେ ରାଜନୀତି ତୀଵ୍ର ହୋଇଛି। ନ୍ୟାସନାଲ ହେରାଲଡ଼ ମାମଲାରେ ୨୦୧୫ ମସିହାରେ ରାହୁଲଙ୍କୁ ବେଲ ମିଳିଥିବା ବେଳେ ତାଙ୍କ ଉପରେ ନୋ ଟ୍ରାଭେଲ କଟକଣା ଜାରି ହୋଇଥିଲା।

ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ସେ ତାଙ୍କ ଡିପ୍ଲୋମାଟିକ ପାସପୋର୍ଟ ଜମା ଦେଇଥିଲେ। ତେଣୁ ଏକ ନୂଆ ପାସପୋର୍ଟ ପାଇଁ ସେ ଆବେଦନ କରିଛନ୍ତି।

ଆସନ୍ତା ମାସରେ ଆମେରିକା ଗସ୍ତ କରିବା ସହ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଓ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାକୁ ଥିବାରୁ ସେ ଏହି ପାସପୋର୍ଟ ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏହାକୁ ନେଇ ସ୍ୱାମୀଙ୍କ ବିରୋଧ ରାଜନୈତିକ ଚର୍ଚ୍ଚାକୁ ବଢ଼ାଇ ଦେଇଛି।

ପୂର୍ବରୁ ବିଭିନ୍ନ ବିବାଦୀୟ ଟିପ୍ପଣୀକୁ ନେଇ ରାହୁଲଙ୍କ ବିରୋଧରେ ବିଭିନ୍ନ କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏପରିକି ସେଥିପାଇଁ ସେ ନିଜ ସଦସ୍ୟ ପଦ ହରାଇଛନ୍ତି। ଏଥିପାଇଁ ବିଜେପିକୁ ଦାୟୀ କରାଯାଉଥିବା ଦେଖିବାକୁ ମିଳୁଛି।

ଏବେ ପାସପୋର୍ଟ ପ୍ରସଙ୍ଗରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ପୁଣିଥରେ ରାହୁଲଙ୍କ ସମ୍ପର୍କିତ ଚର୍ଚ୍ଚାକୁ ବଢ଼ାଇ ଦେଇଛି।

Leave A Reply

Your email address will not be published.