ଭୁବନେଶ୍ୱର: ବିଜେପି ପକ୍ଷରୁ ଆରମ୍ଭ ହୋଇଛି ମହାଜନସମ୍ପର୍କ କାର୍ଯ୍ୟକ୍ରମ । ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ଏକ ମାସ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା ଆସିବେ କେନ୍ଦ୍ରୀୟ ନେତା ।
ଏହି ଅବସରରେ ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେପିନଡ୍ଡା ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତା ଶାହ ଓଡ଼ିଶା ଗସ୍ତରେ ଆସିବେ । ଜୁନ ୧୭ରେ ତାରିଖରେ ଅମିତ ଶାହ ଏବଂ ଜୁନ ୨୨ରେ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏକ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ ବୋଲି ମଧ୍ୟ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା । ସୂଚନାଥାଉ କି, ବିଜେପିର ଏହି ଜନସମ୍ପର୍କ ଅଭିଯାନରେ ଓଡ଼ିଶାରେ ଦଳ ୩ କୋଟି ପରିବାର ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ୩୬ ହଜାର ୬୦୬ ବୁଥରେ ପହଞ୍ଚିବା ସହ ଏଥିରେ ଦଳର ୫ ଲକ୍ଷ କର୍ମକର୍ତ୍ତା ସାମିଲ୍ ହେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।
ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଗୃହମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ମନମୋହନ ସାମଲ । ଦଳ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ କରାଯିବାକୁ ଥିବା ବେଳେ ୫ ଲକ୍ଷ କାର୍ଯ୍ୟକର୍ତ୍ତା ଘର ଘର ବୁଲିବେ ଏବଂ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍ ।
Comments are closed.