ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତଦେହ ଚିହ୍ନଟକୁ ନେଇ ଚ୍ୟାଲେଞ୍ଜ ଓ ଦ୍ୱନ୍ଦ୍ୱ ମଧ୍ୟରେ ଭୁବନେଶ୍ୱର ଏମ୍ସରେ ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ସଂଗ୍ରହ କରାଯାଇଥିବା ୩୩ଟି ନମୁନାକୁ ଡିଏନ୍ଏ ନମୁନା ପାଇଁ ଦିଲ୍ଲୀ ପଠାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପରୀକ୍ଷା ରିପୋର୍ଟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯିବ ବୋଲି ସୂତ୍ରରୁ ସୂଚନା ମିଳିଛି।
ଏମ୍ସରେ ଥିବା ଶବକୁ ନେଇ ଅନେକ ଦାବିଦାର ଆସୁଥିବାରୁ ଏଭଳି ଡିଏନଏ ପରୀକ୍ଷା ପାଇଁ ବାଟ ଆପଣାଇଛନ୍ତି ସରକାର। ଏମିତିକି ସୂତ୍ରରୁ ପ୍ରକାଶ ଯେ ଛଅଟି ପରିବାର ଗୋଟିଏ ଶବ ପାଇଁ ଦାବି କରୁଛନ୍ତି।
ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ କହିଛନ୍ତି, ଗତକାଲି ଅତିକମରେ ୩୯ଟି ମୃତଦେହ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା। ଓଡ଼ିଶା ସରକାରଙ୍କ ପାଖରେ ପାଞ୍ଚଟି କଣ୍ଟେନର ଥିବା ବେଳେ ସେଥିମଧ୍ୟରୁ ଚାରିଟିରେ ପୂର୍ବରୁ ଶବ ଭର୍ତ୍ତି ହୋଇ ରହିଛି। ବର୍ତ୍ତମାନ ଆମେ ୮୮ଟି ଶବ ସଂରକ୍ଷଣ କରିଛୁ ଏବଂ ୭୪ଟି ଶବ ପଠାଯାଇଛି।
ମୃତଦେହକୁ ସେମାନଙ୍କ ସଠିକ୍ ପରିବାର ପାଖରେ ପହଞ୍ଚାଇବାର ପ୍ରକ୍ରିୟାକୁ ସୁରୁଖୁରୁରେ ଓ ଦକ୍ଷତାର ସହ ସମ୍ପନ୍ନ କରିବା ପାଇଁ ଉଦ୍ୟମ କରାଯାଉଛି। ତେବେ ଏକାଧିକ ଅଚିହ୍ନା ଶବ ଏବଂ ଗୋଟିଏ ଶବ ପାଇଁ ୬ ଜଣ ଲେଖାଏଁ ଦାବି ଯୋଗୁଁ ସ୍ଥିତି ଜଟିଳ ରହିଛି। ଏହାର ଜବାବରେ ୩୩ଟି ଡିଏନ୍ଏ ନମୁନା ପରୀକ୍ଷା ପାଇଁ ପଠାଯାଇଛି, ଯାହାର ଫଳାଫଳ ଆଗାମୀ ଦିନରେ ଆସିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।
ବାଲେଶ୍ୱରର ବାହାନଗା ବଜାର ଷ୍ଟେସନରେ ଘଟିଥିବା ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଛି। ଏହି ଘଟଣାରେ ବେଙ୍ଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ୍, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍, ଉଭୟ ଟ୍ରେନରେ ୨୫୦୦ରୁ ଅଧିକ ଯାତ୍ରୀ ଥିବା ବେଳେ ଲୁହା ବୋଝେଇ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୧ଟି ବଗି ଲାଇନଚ୍ୟୁତ ହେବା ସହ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଘଟଣାର ତଦନ୍ତ କରୁଛି।
Comments are closed.