ଯାଜପୁର: ଯାଜପୁର ଜିଲ୍ଲାରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାଲଗାଡି ଓ୍ବାଗନ ତଳେ ଚାପି ହୋଇଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଇଷ୍ଟକୋଷ୍ଟ ରେଲଓ୍ବେ ଏହି ଦୁର୍ଭାଗ୍ୟଜନକ ଘଟଣାକୁ ସୁନିଶ୍ଚିତ କରି କହିଛି ଯେ ପୀଡ଼ିତମାନେ ଠିକା ଶ୍ରମିକ ଥିଲେ ଯେଉଁମାନେ ଯାଜପୁର-କେନ୍ଦୁଝର ରୋଡ୍ ନିକଟରେ ଏକ ଝଡ ତୋଫାନରୁ ରକ୍ଷା ପାଇବା ପାଇଁ ଦୀର୍ଘ ଦିନ ହେବ ରେଳ ଧାରଣା ଉପରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନର ବଗି ବା ଓ୍ୱାଗନ ତଳେ ଆଶ୍ରୟ ନେଇଥିଲେ।
ହେଲେ ବିନା ଇଞ୍ଜିନରେ ଛିଡା ହୋଇଥିବା ଏହି ମାଲଗାଡିର ଓ୍ୱାଗନ ଲକ୍ ନଥିବାରୁ ୧୦୦ ମିଟର ଯାଏ ଗଡିଯିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏବେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖୋର୍ଦ୍ଧା ରୋଡ୍ ଡିଆରଏମଙ୍କ ନେତୃତ୍ୱରେ ରେଳବାଇ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ସହାୟତା ଯୋଗାଇ ଦେଇଛନ୍ତି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଇଞ୍ଜିନ ବିହୀନ ଓ୍ବାଗନଟି ଲକ୍ ପଡିବା ରେଳବାଇ ଅଧିକାରୀଙ୍କ ବେପରୁଆ ମନୋଭାବକୁ ଦର୍ଶାଇଛି। ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ତେଜିଛି। ନିକଟରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଥିବା ବେଳେ ହଠାତ୍ ରାଜ୍ୟରେ ଆଉ ଏକ ଟ୍ରେନ ଜନିତ ଦୁର୍ଘଟଣାରୁ ମୃତ୍ୟୁ ଖବର ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି କରିଛି।
Comments are closed.