Latest Odisha News

BREAKING NEWS

ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍‌ଫୋସିସ୍‌, ଟିସିଏସ୍‌ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍‌ କାର୍ଡ ପ୍ରକ୍ରିୟା ନିଲମ୍ବିତ

ୱାଶିଂଟନ୍‌: ଆମେରିକା ସରକାର ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ , ଟିସିଏସ୍‌ , ୱିପ୍ରୋ , ଏଚ୍‌ସିଏଲ୍‌, କୋଗ୍ନିଜାଣ୍ଟ ଏବଂ ମାଇକ୍ରୋସଫ୍ଟ, ଆଡୋବ୍‌ ଓ କ୍ୟାପ୍‌ଜେମିନି ଭଳି ୮ଟି ପ୍ରମୁଖ ଆଇଟି ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେରିକାର ଶ୍ରମ ବିଭାଗ ପକ୍ଷରୁ ଏହି କମ୍ପାନୀଗୁଡ଼ିକୁ ‘ପରମାନେଣ୍ଟ ଲେବର ସର୍ଟିଫିକେସନ୍‌’ ବା ଗ୍ରୀନ୍‌ କାର୍ଡ ଆବେଦନ କାର୍ଯ୍ୟକ୍ରମରୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି।

ଆମେରିକା ଶ୍ରମ ବିଭାଗ ଅଭିଯୋଗ କରିଛି ଯେ, ଏହି କମ୍ପାନୀଗୁଡ଼ିକ H-1B ଭିସା ବ୍ୟବସ୍ଥାର ଅପବ୍ୟବହାର କରିବା ସହ ଭିସା ଜାଲିଆତିରେ ଲିପ୍ତ ଥିଲେ। ଦେଶର ଶ୍ରମିକମାନଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଏହି କଠୋର ନିଷ୍ପତ୍ତି ନିଆଯାଇଥିବା ନେଇ ଆମେରିକା ଶ୍ରମ ସଚିବ କିଥ୍‌ ସୋଣ୍ଡରଲିଙ୍ଗ୍‌ ସୂଚନା ଦେଇଛନ୍ତି।

ପ୍ରଭାବ, କାରଣ ଓ ସରକାରଙ୍କ ଆଭିମୁଖ୍ୟ : ଏହି କମ୍ପାନୀଗୁଡ଼ିକ ପାଇଁ ଆମେରିକା ଶ୍ରମ ବିଭାଗ କୌଣସି ନୂଆ ଗ୍ରୀନ୍‌ କାର୍ଡ ଆବେଦନ ଗ୍ରହଣ କରିବ ନାହିଁ କିମ୍ବା ପେଣ୍ଡିଂ ଥିବା ଆବେଦନଗୁଡ଼ିକର ପ୍ରକ୍ରିୟାକରଣ କରିବ ନାହିଁ।

ନିଯୁକ୍ତି ସୁରକ୍ଷା ଓ ଅଭିଯୋଗ: ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ କହିଛନ୍ତି ଯେ କେତେକ କମ୍ପାନୀ ସ୍ଥାନୀୟ ଆମେରିକୀୟ ନାଗରିକଙ୍କୁ ଛଟେଇ କରି କମ୍‌ ଦରମାରେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି , ଯାହା ଆମେରିକୀୟ ଶ୍ରମିକଙ୍କ ପ୍ରତି ଅନ୍ୟାୟ। ୨୦୦୯ ମସିହାରୁ ଏହି କମ୍ପାନୀଗୁଡ଼ିକ ଲକ୍ଷାଧିକ H-1B ଭିସା ଓ ଗ୍ରୀନ୍‌ କାର୍ଡ ପ୍ରମାଣପତ୍ର ହାସଲ କରିଛନ୍ତି, ଯାହାକୁ ନେଇ ବର୍ତ୍ତମାନ କେନ୍ଦ୍ରୀୟ ତଦନ୍ତ ଚାଲିଛି।

ଭାରତୀୟ ଆଇଟି ପେସାଦାରଙ୍କ ଉପରେ ପ୍ରଭାବ-ଆମେରିକାରେ କାର୍ଯ୍ୟରତ ହଜାର ହଜାର ଭାରତୀୟ ଆଇଟି କର୍ମଚାରୀ, ଯେଉଁମାନେ H-1B ଭିସାରେ ରହି ଗ୍ରୀନ୍‌ କାର୍ଡ (ସ୍ଥାୟୀ ନାଗରିକତା) ପାଇଁ ଆଶା ରଖିଥିଲେ, ସେମାନଙ୍କ ଭବିଷ୍ୟତ ଏବେ ସଙ୍କଟମୟ ହୋଇପଡ଼ିଛି। ତେବେ ଏହା ଦ୍ୱାରା ବର୍ତ୍ତମାନର H-1B ଭିସା ସିଧାସଳଖ ବାତିଲ ହେବ ନାହିଁ କିମ୍ବା ପୂର୍ବରୁ ମିଳିଥିବା ଗ୍ରୀନ୍‌ କାର୍ଡ ରଦ୍ଦ ହେବ ନାହିଁ, କେବଳ ଭବିଷ୍ୟତର ଗ୍ରୀନ୍‌ କାର୍ଡ ପ୍ରକ୍ରିୟାକରଣ ପ୍ରଭାବିତ ହେବ।

Leave A Reply

Your email address will not be published.