ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଏ ଭାଗବତ ଭକ୍ତିଗୀତ
ଲେଖି, ଗାଇ ମୁଁ ଉପକୃତ
ହୋଇଚାଲିଛିଁ ନିରଂତର
ତେଣୁ ହୋଇନି ହରବର
ଏହା ଏକାଂତ ବ୍ୟକ୍ତିଗତ
ମୁଁ ନିଜେ ଜାଣିଥିବା ସତ
ହେଉ କି ନ ହେଉ ସ୍ବୀକୃତ
ନୁହେଁ ମୁଁ ତିଳେ ବିଚଳିତ
ଭାଷାକୁ ବ୍ରହ୍ମ ରୂପେ ଜାଣି
ପଦକୁ ପଦ ଦିଏଁ ଭଣି
କହେଁ ମୁଁ ଆପଣା କାହାଣୀ
ଜାଣିନି ପୂର୍ଣ ବିବରଣୀ
ଭାଷାର ବିଶାଳ ସଂସାର
ତହିଁରେ ବ୍ୟକ୍ତିର ସ୍ବାକ୍ଷର
ହେଲେ ହେଁ ସୂକ୍ଷ୍ମ ଏକ ଗାର
କରଇ ପ୍ରଭାବ ବିସ୍ତାର
ଶବ୍ଦ ସାଧକ ଜଣେ ଜଣେ
ବିଶ୍ବ ଭାଷାର ଅନୁକୋଣେ
ଛାଡ଼ଂତି ନିଜ ଅବଦାନ
ଭାଷାକୁ କରି ଶ୍ରୀସଂପନ୍ନ
କେବଳ ଭୂଗୋଳରେ ବାସ
କରିଲେ ମନେ ଅସଂତୋଷ
ଯେହେତୁ ହୋଇଯାଏ ଭରି
ଭାଷା, ସଂସ୍କୃତି ଅଧିକାରୀ
ହେବାକୁ ନିଷ୍ଠାମିଶା ଚେଷ୍ଟା
କଲେ ହିଁ ମିଳଇ ପ୍ରତିଷ୍ଠା
ସାହିତ୍ୟ ସୃଷ୍ଟିରେ ପ୍ରୟାସୀ
ମଣିଷ ହୁଏ ସ୍ମୃତିବାସୀ
Comments are closed.