Latest Odisha News

BREAKING NEWS

କବିତା : ଅଣସର ଦର୍ଶନ

ଗଦାଧର ସାହୁ

ଚାଲ ମନ ଅଲାରନାଥ
ଆଣସରେଛନ୍ତି ଶ୍ରୀଜଗନ୍ନାଥ ।।

ଆସିଥିଲେ ଶ୍ରୀରାମାନୁଜ
ଶ୍ରୀଚୈତନ୍ୟଦେବ ଦେବେଶ,
ଦର୍ଶନ କରିଲେ ପ୍ରେମେ ମଜ୍ଜିଗଲେ
ଏକ ବ୍ରହ୍ମ ମଧ୍ଯେ ଚତୁର୍ଦ୍ଧା ଦୃଶ୍ଯ ।

ଭକ୍ତି ପ୍ରେମେ ହୋଇଲେ ବାଇ
ପାଦ ଚିହ୍ନ କଥା କହଇ,
ପାଷାଣ ତରଳି ପାଣି ହୋଇଗଲା
ପାଦଚିହ୍ନ ଏବେ ହୁଅଇ ଦୃଶ୍ଯ ।

ବ୍ରହ୍ମଗିରି ସେ ବ୍ରହ୍ମକ୍ଷେତ୍ର
ଦାରୁବ୍ରହ୍ମ ଲୀଳାବିଚିତ୍ର
ଅଣସରେ ରହି ଜ୍ବରେ କମ୍ପୁଥାଇ
କ୍ଷୀରିର ପ୍ରସାଦ ହୁଅଇ ପଥ୍ଯ ।

ଚାଲଯିବା ଦର୍ଶନ କରି
ଦିଅଁ ଶିଘ୍ର ଆସିବେ ଫେରି,
ନେତ ବନ୍ଧା ହେଲେ ରଥଯାତ ହେବ
ଜନ୍ମବେଦୀ ଯିବେ ଶ୍ରୀଜଗନ୍ନାଥ ।

ସଙ୍ଗେ ଥିବେ ଭଉଣୀ ଭାଇ
ଡର ଭୟ କାହାକୁ ନାହିଁ
ଲକ୍ଷ ଲକ୍ଷ ଭକ୍ତ ଚଉପାଶେ ଥିବେ
ବିଶ୍ବ ବ୍ରହ୍ମାଣ୍ଡର ସେ ଏକା ନାଥ ।

ଚାଲ ଏବେ ଡେରି ନକରି
ଦିଅଁ ଯିବେ ପହୁଡ ପଡି,
ଦର୍ଶନ କରିବା ଦୁଃଖ ଜଣାଇବା
କୋଟି ଓଡ଼ିଆଙ୍କ ସିଏ ବିଶ୍ବସ୍ଥ ।

ବ୍ରହ୍ମଗିରି,ପୁରୀ

Leave A Reply

Your email address will not be published.