ଭୁବନେଶ୍ୱର: ବିଜୁ ଜନତା ଦଳ ସରକାର ବିଗତ ୨୩ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ ଅବିଶ୍ରାନ୍ତ ଭାବେ କାମ କରୁଛି । ହେଲେ ଓଡିଶା ବିଜେପି ନେତାମାନେ ଗତ ନଅ ବର୍ଷ ଧରି ଦିଲ୍ଲୀରେ ଓଡିଶାର ବିକାଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଏମିତି ଅଭିଯୋଗ ଆଣିଛି ବିଜେଡି ।
ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ତିନି ମୁଖପାତ୍ର ସୁଲତା ଦେଓ, ଗୌତମବୁଦ୍ଧ ଦାସ ଏବଂ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର ବିଜେପି ସରକାର ଉପରେ ବର୍ଷିଛନ୍ତି ।
ବିଜେପି କହିଛି, ଷଡଯନ୍ତ୍ରର ସବୁଠାରୁ ବଡ ଉଦାହରଣ ହେଉଛି ଉଜ୍ୱଳା ଯୋଜନା । ଏହି ଯୋଜନାରେ ଓଡିଶାର ମହିଳାମାନଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ସାହାଯ୍ୟ କରାଯିବ ବୋଲି ପ୍ରଚାର ହେଲା । ଆଜି ଉଜ୍ୱଳା ଅନ୍ଧାର ହୋଇଯାଇଛି । ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏହା ଏକ ନିଷ୍ଠୁର ପରିହାସ ପାଲଟିଛି । ଏଲପିଜି ସିଲିଣ୍ଡର ମୂଲ୍ୟ ବଢୁଛି, ରିଫିଲ ପରିମାଣ ହ୍ରାସ ପାଉଛି । ଗରିବ ହିତାଧିକାରୀମାନେ ଏହାର ବ୍ୟବହାର କମାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ବିଜେପିଡ ମୁଖପତା୍ର ସୁଲତା ଦେଓ । ସେ କହିଛନ୍ତି, ବେଡି ଉପରେ କୋରଡା ମାଡ ଭଳି ଇନ୍ଧନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର କ୍ରମାଗତ ମୂଲ୍ୟ ହାଣ୍ଡିଶାଳକୁ ପ୍ରଭାବିତ କରୁଛି । ଯଦିଓ ବିଜୁ ଜନତା ଦଳ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତଥାପି ଓଡିଶାର ବିଜେପି ନେତାମାନେ ନିରବ ରହିଛନ୍ତି ।
ଓଡିଶା ବିରୋଧି ଷଡଯନ୍ତ୍ରର ଦ୍ୱିତୀୟ ଉଦାହରଣ ହେଉଛି ରାଜ୍ୟରେ ଜାତୀୟ ରାଜପଥ । ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ ଦୟନୀୟ । ଗତ ନଅ ବର୍ଷ ଧରି ସମ୍ବଲପୁର-କଟକ ଜାତୀୟ ରାଜପଥ ଅବସ୍ଥା ସଙ୍କଟାପନ୍ନ ରହିଛି । କାର୍ଯ୍ୟ ସମାପ୍ତ ହେଉନାହିଁ । ଗତ ନଅ ବର୍ଷ ମଧ୍ୟରେ ଏହି ରାଜପଥ ପ୍ରକଳ୍ପର କାର୍ଯ୍ୟ ସରୁନଥିବାରୁ ଶହ ଶହ ଦୁର୍ଘଟଣା ଘଟିଛି ଏବଂ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହୋଇଯାଇଛି । ଏଥିପାଇଁ ବିଜେଡି ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସ୍ୱର ଉତ୍ତୋଳନ କରୁଛି, କିନ୍ତୁ ଓଡିଶା ବିଜେପି ନେତାମାନେ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି ।
ସେହିଭଳି ଆଉ ଦୁଇଟି ବଡ ଷଡଯନ୍ତ୍ର ହେଉଛି ଓଡ଼ିଶାରେ ଟେଲିକମ୍ ଏବଂ ବ୍ୟାଙ୍କିଙ୍ଗ୍ ସେବା । ବ୍ୟାଙ୍କିଙ୍ଗ ସଂଯୋଗର ଅଭାବ ଯୋଗୁଁ ମିଶନ ଶକ୍ତି ଅଧିନରେ ଥିବା ୬ ଲକ୍ଷ ମହିଳା ଏସଏଚଜି ଗୋଷ୍ଠୀର ୭୦ ଲକ୍ଷ ମହିଳା ଏସଏଚଜି ସଦସ୍ୟାମାନେ ବିନା ସୁଧରେ ୫ ଲକ୍ଷ ଋଣ ପାଇବା କଷ୍ଟକର ହୋଇପଡୁଛି । ସେମାନେ କ୍ରମାଗତ ଭାବରେ ଓଡିଶାର ମହିଳା ଏସଏଚଜି ସଦସ୍ୟମାନଙ୍କୁ ଅପମାନିତ ଏବଂ ଅସମ୍ମାନ କଲେ । ଏହା ସେମାନଙ୍କର ଓଡିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।
ଏହି ସମସ୍ତ ପ୍ରୟାସ ମାଧ୍ୟମରେ ଓଡିଶା ବିଜେପି ନେତାମାନେ ଓଡିଶାର ବିକାଶକୁ ରୋକିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ସେଥିରେ ସେମାନେ ବିଫଳ ହେବେ । ଓଡିଶାବାସୀଙ୍କ ସାମୂହିକ ଇଚ୍ଛା ଏବଂ ବିଜୁ ଜନତା ଦଳର ବିକାଶମୂଳକ ଏଜେଣ୍ଡା ଓଡିଶାକୁ ଭାରତର ଏକ ନମ୍ବର ରାଜ୍ୟ ହେବାକୁ ଆଗେଇ ନେବ । ତେବେ ଓଡିଶାର ସ୍ୱାର୍ଥ ବିରୁଦ୍ଧରେ ତଥା ଓଡିଶାର ୪.୫ କୋଟି ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ଓଡିଶାର ବିଜେପି ନେତାମାନେ ଯେଭଳି ଷଡଯନ୍ତ୍ର କରୁଛନ୍ତି ସେଥିପାଇଁ କୋଟି କୋଟି ଓଡିଶାବାସୀ ତାଙ୍କୁ ସବୁବେଳେ ମନେ ରଖିବେ ବୋଲି ବିଜେଡି ମୁଖପାତ୍ରମାନେ କହିଛନ୍ତି ।
Comments are closed.