Latest Odisha News

BREAKING NEWS

ରଜ ପରେ ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ଶବର ଅନ୍ତିମ ସଂସ୍କାର ପାଇଁ ବିଏମସି ପ୍ରସ୍ତୁତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହର ମଧ୍ୟରେ ୪ଟି ସମ୍ଭାବ୍ୟ ସ୍ଥାନକୁ ଚିହ୍ନଟ କରାଯାଇଛି। ଯେଉଁଠାରେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ଅନ୍ତିମ ସଂସ୍କାର କରାଯାଇପାରିବ। ସତ୍ୟନଗର ଇଲେକ୍ଟ୍ରିକ୍ ଶ୍ମଶାନ, ଆଇଗିଣିଆ, କପିଳପ୍ରସାଦସ ଏମ୍ସ ନିକଟରେ ଏବଂ ଭରତପୁରର ଏକ ସ୍ଥାନରେ ଅନ୍ତିମ ସଂସ୍କାର କରାଯାଇପାରିବ। ୩ ଦିନିଆ ରଜ ଉତ୍ସବ ଶେଷ ହେବା ପରେ ଜୁନ୍ ୧୫ ତାରିଖ ପରେ ଯେକୌଣସି ତାରିଖ ଆସିଲେ ଆବଶ୍ୟକ ପଡ଼ିଲେ ସାମୁହିକ ଶବଦାହ ପାଇଁ ବିଏମସି ଅଧିକାରୀମାନେ ପ୍ରସ୍ତୁତ ଥିବା ସୂଚନା ରହିଛି। ଏ ନେଇ ବିଏମସି ରାଜ୍ୟ ସରକାରଙ୍କୁ ଅବଗତ କରାଇଛି।

ମୃତ୍ୟୁବରଣ କରିଥିବା ୨୮୮ ଜଣଙ୍କ ମଧ୍ୟରେ ସର୍ବାଧିକ ୧୦୨ ଜଣ ପଶ୍ଚିମବଙ୍ଗର ଯାତ୍ରୀ ଅଛନ୍ତି। ଏହା ପରେ ବିହାରରୁ ୫୫, ଓଡିଶାରୁ ୩୯, ଝାଡଖଣ୍ଡରୁ ୯ ଓ ଆନ୍ଧ୍ର ପ୍ରଦେଶ ଓ ନେପାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଅବଶିଷ୍ଟ ୮୧ଟି ମୃତଦେହର ପରିଚୟ ମିଳିପାରିନାହିଁ ଏବଂ ବର୍ତ୍ତମାନ ସେମାନଙ୍କୁ ଏମ୍ସ-ଭୁବନେଶ୍ୱରରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଥିବା ୪ଟି କଣ୍ଟେନରରେ ରଖାଯାଇଛି।

ନିଜ ପ୍ରିୟଜନଙ୍କୁ ଚିହ୍ନଟ କରିବା ପାଇଁ ସଙ୍ଘର୍ଷ କରୁଥିବା ଶୋକାକୁଳ ପରିବାରଙ୍କ ଚିହ୍ନଟ ପ୍ରକ୍ରିୟାରେ ସହାୟତା କରିବା ପାଇଁ ୭୫ଟି ଡିଏନ୍ଏ ନମୁନା ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଯାଇଛି।

ଭୁବନେଶ୍ୱର ଏମ୍ସର ମେଡିକାଲ ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ଯଦିଓ ମୃତଦେହ ଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ କ୍ଷୟର ଲକ୍ଷଣ ଦେଖାଯାଇ ନାହିଁ କିନ୍ତୁ ଡିଏନ୍ଏ ପରୀକ୍ଷା ଫଳ ଆସିବା ପରେ ତୁରନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।

ହାଓ୍ୱଡ଼ା ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଏବଂ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରେ ୨ ହଜାର ୨୯୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଭଦ୍ରକ ଓ ବାଲେଶ୍ୱରରୁ ଏକତ୍ରୀତ ହୋଇଥିବା ଡାକ୍ତରମାନେ ୨୧୧ ଜଣ ଯାତ୍ରୀଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରିଥିବା ବେଳେ ଅବଶିଷ୍ଟ ଯାତ୍ରୀଙ୍କୁ ମୃତ ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାକୁ ଅଣାଯାଇଥିଲା କିମ୍ବା ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି।

Comments are closed.