Latest Odisha News

BREAKING NEWS

୧୦୦ ବର୍ଷ ପୁୁରୁଣା କୁଟୀର: ଏହା ପଛରେ ରହିଛି ଅନେକ ରହସ୍ୟ

ରାଜସ୍ଥାନ: ରାଜସ୍ଥାନର ନାଗୋରସ୍ଥିତ ରାୟଧନୁ ଗ୍ରାମରେ ଏକ ପାହାଡ଼ ରହିଛି । ଏହି ପାହାଡ ଉପରେ ଏକ କୁଟୀର ଅଛି । ଯାହାକୁ ୧୦୦ ବର୍ଷ ପୂର୍ବେ ଜଣେ ସାଧୁ ନିର୍ମାଣ କରିଥିଲେ । ଏଠାରେ କୌଣସି ବ୍ୟକ୍ତି ରାତିରେ ରହିପାରନ୍ତି ନାହିଁ ଏବଂ କୌଣସି ସାଧୁ ତପସ୍ୟା ବି କରିପାରନ୍ତି ନାହିଁ । ଏହି ପାହାଡ ପଛରେ ଏକ ଚମତ୍କାର ରହସ୍ୟ ଲୁଚି ରହିଛି ।

ରାୟଧନୁ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସନ୍ଥ ସାୱତ ୍ ସିଂ ଏହି ପାହାଡ ଉପରେ ତପସ୍ୟା କରୁଥିଲେ । ସେ ଏହି ପାହାଡକୁ ତାଙ୍କର ତପସ୍ୟା ସ୍ଥାନ ଭାବେ ବାଛିଥିଲେ । ସେ ଏଠାରେ ଦୀର୍ଘ ବର୍ଷ ଧରି ତପସ୍ୟା କରିଥିଲେ । ମୃତ୍ୟୁ ପରେ ପାହାଡ଼ ଉପରେ ତାଙ୍କର ସମାଧି କରାଯାଇଛି । ଗ୍ରାମର କାନାରାମ ପ୍ରଜାପତ କହିଛନ୍ତି ଯେ, ଗ୍ରାମରେ ଅନେକ ପାହାଡ଼ ରହିଛି । ସେଥିମଧ୍ୟରୁ ଏହି ପାହାଡ଼ ହେଉଛି ସବୁଠୁ ବଡ଼ । ଏଠାରେ ସନ୍ଥ ସାୱତ ସିଂ ବହୁ ବର୍ଷ ଧରି ତପସ୍ୟା କରୁଥିଲେ ଏବଂ ଏଠାରେ ହିଁ ସମାଧି ନେଇଥିଲେ । ପରେ ଏହା ଗ୍ରାମବାସୀଙ୍କ ପାଇଁ ବିଶ୍ୱାସର କେନ୍ଦ୍ର ପାଲଟିଗଲା ।

ଏଠାରେ ପଶୁମାନଙ୍କ ଉଦ୍ଦେଶ୍ୟରେ ସାଧୁଙ୍କୁ ପୂଜା କରାଯାଏ । ଯଦି ଗ୍ରାମର କୌଣସି ପଶୁ କେଉଁ ରୋଗରେ ଆକ୍ରାନ୍ତ ହୁଅନ୍ତୁ କିମ୍ବା କୌଣସି ଗାଈ ଠିକ୍ ଭାବେ କ୍ଷୀର ନ ଦିଏ , ତେବେ ସନ୍ଥ ସାୱତ ସିଂଙ୍କ ନାମରେ ଏକ ସୂତା ବାନ୍ଧିଲେ ସେ ଆରୋଗ୍ୟ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ଗ୍ରାମବାସୀ ସନ୍ଥଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି କୌଣସି ଲୋକ ମାନସିକ ଦୁଶ୍ଚିନ୍ତାରେ ଥିଲେ ଏହି କୁଟୀର ଚାରିପଟେ ବୁଲିଲେ ସବୁ ସମସ୍ୟା ଦୂର ହୋଇଥାଏ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ।

ସବୁଠୁ ବଡ଼ କଥା, ରାତି ୯ ଟା ପରେ ଏହି ପାହାଡ ଉପରେ କେହି ରହିପାରିବେ ନାହିଁ । କାରଣ ଯଦି କୌଣସି ବ୍ୟକ୍ତି ରହିବାକୁ ଚେଷ୍ଟା କରନ୍ତି, ତେବେ ବାହାରକୁ ଆସିବା ପରେ କିଛି ମନେ ରହେ ନାହିଁ । ଲୋକମାନେ ଭୟରେ ଏଠାରେ ରୁହନ୍ତି ନାହିଁ । ଆଜି ପର୍ଯ୍ୟନ୍ତ ଏହା ଏକ ରହସ୍ୟ ହୋଇ ରହିଛି । ଯଦି ଏହି କୁଟୀରକୁ ବର୍ଷକୁ ଥରେ ପୁନଃ ନିର୍ମାଣ କରା ନ ଯାଏ, ତେବେ ଗାଁରେ ଭଲ ବର୍ଷା ହୁଏ ନାହିଁ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ପ୍ରତ୍ୟେକ ବର୍ଷ ଗ୍ରାମବାସୀ କୁଟୀରକୁ ପୁନଃ ମରାମତି କରିଥାନ୍ତି ।

Comments are closed.