Latest Odisha News

କବି ଉତ୍ପଳ ମହାନ୍ତିଙ୍କ ‘ଆଣ୍ଟିବାୟୋଟିକ୍’ ଲୋକାର୍ପିତ

କବି ଉତ୍ପଳ ମହାନ୍ତିଙ୍କ ‘ଆଣ୍ଟିବାୟୋଟିକ୍’ ଲୋକାର୍ପିତ

ବାଲେଶ୍ଵର: କବିତାର ଭୂଷଣ ହେଉଛି ଲଜ୍ଜା। ଏହି ଲଜ୍ଜା ସହ ସନ୍ଦିଗ୍ଧତା, କୌତୁକ ଓ ସମ୍ଭ୍ରମତା ନିହିତ ରହିବା ଜରୁରୀ ବୋଲି ବିଶିଷ୍ଟ କବି, ଗଦ୍ୟକାର ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି।

‘ଭଲ କବିତାର ଖୋଜ୍’ ଓ ‘ଟାଇମପାସ’ ସହଭାଗିତାରେ ବାଲେଶ୍ୱରସ୍ଥିତ ଭେନିଆ ପାରାଡାଇଜ୍ ଠାରେ ଅନୁଷ୍ଠିତ କବି ଉତ୍ପଳ ମହାନ୍ତିଙ୍କ ଧାଡିକିଆ କବିତା ସଂକଳନ ‘ଆଣ୍ଟିବାୟୋଟିକ୍’ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେ ଯେ ‘ଆଣ୍ଟିବାୟୋଟିକ୍’ ପୁସ୍ତକର ପ୍ରତ୍ୟେକ କବିତା ଉତ୍ପଳଙ୍କ ଧ୍ୟାନସ୍ଥ ଚେତନାରୁ ସୃଷ୍ଟ। ପାଠକକୁ କବିତାର ଗୋଟିଏ ଧାଡି ହିଁ ବାନ୍ଧି ରଖିଥାଏ। ସେଇ ଧାଡିଟି ହିଁ କବିତା। ବାକି ଧାଡିଗୁଡିକ କବିତ୍ଵର ଅନାବଶ୍ୟକ ଅହଂ ଛଡା ଆଉ କିଛି ନୁହେଁ।

କବି ବିଜୟ ମଲ୍ଲଙ୍କ ସଂଚାଳନରେ ଆୟୋଜିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରାରମ୍ଭରେ ଟାଇମପାସ୍ ପ୍ରକାଶନୀ ସଂସ୍ଥାର ନିର୍ଦ୍ଦେଶକ କବି ସରୋଜ ବଳ ଅତିଥିଙ୍କୁ ମଞ୍ଚ-ଆମନ୍ତ୍ରଣ କରିବା ସହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ଆନୁଷ୍ଠାନିକ ଭାବରେ ଉତ୍ସବକୁ ଉଦଘାଟନ କରିଥିଲେ ଅତିଥିଗଣ ।

ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସୁଖ୍ୟାତ କଥାକାର ଓ ଔପନ୍ୟାସିକ ଡକ୍ଟର ଅଜୟ ସ୍ଵାଇଁ କହିଲେ, ଉତ୍ପଳଙ୍କ ଧାଡିକିଆ କବିତାସବୁ ଗଦ୍ୟଭଳି ହୋଇଥିବାରୁ ଏହାକୁ ଜଣେ କବିତା ଭଳି କିମ୍ବା ଗପ ଭଳି ବି ପଢିପାରିବ।

ସେହିପରି ‘ରେବତୀ’ ପତ୍ରିକାର ସଂପାଦିକା ସୁବାସିନୀ ଜେନା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବାଲେଶ୍ଵର ମାଟିରୁ ଏପରି ଏକ ନୂତନତ୍ଵର ପରିପ୍ରକାଶ ଏ ମାଟିକୁ ଆହୁରି ଉର୍ବର କରିବା ସହ ଏ ମାଟି ଯେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର, ତାହା ଉତ୍ପଳଙ୍କ ଆଣ୍ଟିବାୟୋଟିକର ଆବିଷ୍କାର ସହିତ ଯୋଡି ହୋଇଗଲା ବୋଲି କହିଥିଲେ।

‘ଭଲ କବିତାର ଖୋଜ୍’ର ଆବାହକ କବି ଶ୍ରୀଦେବ ନିଜସ୍ଵ ଅଭିଭାଷଣରେ ଭଲ କବିତାର ଖୋଜ୍ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସହିତ କବି ଉତ୍ପଳଙ୍କ ଧାଡିକିଆ କବିତାର ସମ୍ପର୍କ କଣ, ସେ ବାବଦରେ ସୂଚନା ପ୍ରଦାନ କରିଥିଲେ। କବି ଉତ୍ପଳ ମହାନ୍ତି ଲେଖକୀୟ ଅଭିବ୍ୟକ୍ତି ରଖିବା ସହ ଧାଡିକିଆ କବିତା ଲେଖିବା ପଛରେ ଥିବା ପ୍ରସ୍ତୁତି ଓ ପ୍ରେରଣା ବିଷୟରେ କହିଥିଲେ।

ଏହି ଅବସରରେ ‘ଆଣ୍ଟିବାୟୋଟିକ୍’ ପୁସ୍ତକର କବିତାର ଇଂରାଜୀ ଅନୁବାଦକ ଡକ୍ଟର ସୁବାସ ପାତ୍ର ଏବଂ ରଣଜିତ ମହାନ୍ତିଙ୍କ ସମେତ କବି ଶ୍ରୀଦେବ ଓ କୃଷ୍ଣ କୁମାର ମହାନ୍ତିଙ୍କୁ କୃତଜ୍ଞତା ପତ୍ର ଓ ଉପଢୌକନ ପ୍ରଦାନ କରି ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ଠିକ ସେହିପରି ଭଲ କବିତାର ଆବାହକତ୍ରୟ ଫକୀରମୋହନଙ୍କ ଫଟୋଚିତ୍ର ଓ ସ୍ଵାକ୍ଷର ସମ୍ବଳିତ ଅଭିନନ୍ଦନ ପତ୍ର ପ୍ରଦାନ କରି ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଶେଷରେ କବି ସରୋଜ ବଳ ଅକ୍ଷୟ ମହାନ୍ତିଙ୍କ ‘ଟୋକା ଏମିତି ହେଉଛିରେ…’ ସ୍ଵରରେ ରଚିତ ନିଜର ଏକ ନୂଆ କବିତା ‘ବୁଢା ଏମିତି ହେଉଛିରେ ଯେମିତି କିଛି ଜାଣେନି’ ମ୍ୟୁଜିକ୍ ସହ ଗାୟନ କରି ଉପସ୍ଥିତ ତିନି ଶହରୁ ଊର୍ଦ୍ଧ୍ଵ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ! ପରେ ପରେ କବି କୃଷ୍ଣ କୁମାର ମହାନ୍ତି ଉତ୍ସବର ଶେଷ ସ୍ପର୍ଶ ଦେଇଥିଲେ।

ଏହି ଉତ୍ସବର ଆୟୋଜନରେ ସହଯୋଗ କରିଥିଲେ କବି ରଞ୍ଜନ ବାଗ, ରାଜେଶ ଗିରି ଓ ନୃତ୍ୟସଙ୍ଗୀତ କଳାମନ୍ଦିର। ଚାରିଶହରୁ ଊର୍ଦ୍ଧ୍ୱ ଲେଖକ, କବି ଓ ସାହିତ୍ୟପ୍ରେମୀ ଦର୍ଶକ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ !

Leave A Reply

Your email address will not be published.