ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଆମୂଳଚୂଳ ବିଡ଼ଂବନା
ଦେଉଛି ଅନେକ ସୂଚନା
ଯଦି ନ ପାରୁଁ ଏବେ ହେଜି
ଭାଷା, ସଂସ୍କୃତି ଯିବ ହଜି
ଏ ଅଟେ ବିଶାଳ ସଂସାର
ପୁନଶ୍ଚ ମିଳିବା ଦୁଷ୍କର
ହେଲେ ହେଁ ଲୋକଂକର ମତି
ବିଭ୍ରାଂତ ହୋଇ ପାଏ ତୃପ୍ତି
ପରସ୍ପରକୁ ଭଂଡି, ଠକି
ଦେଖାଉଁ ବିରଳ ଚାଲାକି
ଏତେଟେ ଛଳନା ଦୁଃସହ
ଆସିଲେ ଗ୍ରାସ କରେ ଭୟ
ନାହିଁ କୁଟୁଂବ, ନାହିଁ ଜ୍ଞାତି
ସବୁଠି ବ୍ୟାପିଛି ବିଚ୍ୟୁତି
ଜନଗଣଂକ ଏହି ରୀତି
କରିଚାଲିଛି ନିତି କ୍ଷତି
ଏହି ଅବକ୍ଷୟର ଧାରା
ବହୁଛି ଏବେ ରାଜ୍ୟ ସାରା
ରାଜାଂକୁ କହିବ ‘ ଲଂଗଳା ‘
ନାହିଁ ସେମିତି ଜଣେ ପିଲା
‘ ଏହା ଥିଲା ଓ ତାହା ଥିଲା ‘
କହି ହେଲେ ସଭିଏଁ ଭୋଳା
କିଏ କରିବ ଭାଷା ରକ୍ଷା ?
କେବଳ କରୁଛୁଁ ପ୍ରତୀକ୍ଷା
କଥା ଚାଲୁଛି ନିରଂତର
କାମରେ ଆଗ୍ରହ କାହାର
ଟିପେ ବି ପାରୁନାହିଁ ବଢ଼ି
ବହୁ କାମ ରହିଛି ପଡ଼ି
ଆମ ଭାଷାର କିଛି କାମ
କରିବା ପାଇଁ ମନ ଆମ
ହେଉନି କେବେ ଆଗଭର
ଏପରି ଦୁର୍ଦଶା ଆମର
ବ୍ୟକ୍ତିଟେ ହେଲେ ସମ୍ମାନିତ
ଭାଷାର ହୁଏନାହିଁ ହିତ
ଏହା ହେଲେଁ ହେଁ ସୁବିଦିତ
ବଦଳୁନାହିଁ ଲୋକଚିତ୍ତ
Comments are closed.