ତରୁଣ କୁମାର ମିଶ୍ର
ମେଘ ବରଷିଲା ଟୁପୁରୁ ଟୁପୁରୁ
କୁନା କୁନି ଭାରି ଖୁସି ,
ଝରକା ପାଖରେ ବସି କରି ଦୁହେଁ
ବରଷାକୁ ଦେଖୁଛନ୍ତି ।
ଗଛରେ ପଡ଼ୁଛି ବରଷାର ପାଣି
ତାତିରୁ ମୁକତି ପାଏ ,
ଆନନ୍ଦରେ ଡାଳ ପତର ହଲାଇ
ମନଭରି ଗୀତଗାଏ ।
ଟିକି ଚଢ଼େଇଟି ଡାଳରେ ବସିକି
ଝାଡ଼ଇ ଡେଣା ତାହାର ,
ଝାଡ଼ି ହୋଇପଡ଼େ ବରଷା ପାଣିରେ
ଲାଗଇ କେଡ଼େ ଶୀତଳ ।
କିଚିରି ମିଚିରି କରି ଗୀତଗାଏ
ତାତିରୁ ମୁକତି ପାଇଁ ,
ମାଆ ଯାଇଅଛି ଅଧାର ପାଇଁକି
ରହିଛି ତା ବାଟ ଚାହିଁ ।
ଗୁଣ୍ଡୁଚି ମୂଷା ତା ଛୁଆକୁ ଜଗିଛି
ଛାଡ଼ୁନି ଜମା ତଳକୁ ,
ଛୁଆ କିନ୍ତୁ ଚାହେଁ ଗଛ ତଳ ଯାଇ
ପାଣିରେ ପହଁରିବାକୁ ।
ବହୁତ ପ୍ରକାରେ ବୁଝାଏ ଛୁଆକୁ
ମାଆ ଗୁଣ୍ଡୁଚି ସେଠାରେ ,
ପାଣି ସୁଅ ଭାରି ପ୍ରଖର ପାଇଁକି
ଛୁଆଟି ଭାସି ଯିବରେ ।
ବିଜୁଳି ମାରଇ ସାଏଁ ସାଏଁ କରି
ଘଡ଼ଘଡ଼ି କରେ ରଡ଼ି ,
ବେଙ୍ଗ ଓ ବେଙ୍ଗୁଲୀ ସାରୁ ଗଛ ତଳେ
ବସିଛନ୍ତି ଛତା ଧରି ।
ବରଷା ଟିକିଏ କମିଛି ଯେ ଏବେ
ଉଠିଲେଣି ଝଡ଼ି ପୋକ ,
ବେଙ୍ଗ ଓ ବେଙ୍ଗୁଲୀ ଖୁସିରେ ଡେଇଁକି
ଖାଉଛନ୍ତି ଧରି ପୋକ ।
ନାଲି ଟୁକୁ ଟୁକୁ ସାଧବ ବୋହୂଟି
ଥିଲା କେଉଁ ଭୂଇଁ ତଳେ ,
ଓଦା ମାଟି ପରେ ତା ଟିକି ପାଦରେ
ଚାଲଇ ସେ ଧୀରେ ଧୀରେ ।
ନିଦାଘର ତେଜ ଆଉ ଲାଗୁନାହିଁ
ଦେହକୁ ଲାଗେ ଶୀତଳ ,
ଗଛ ବୃକ୍ଷ ଜୀବ ଜନ୍ତୁଏ ଖୁସିରେ
ପାଇ ବରଷାର ଜଳ ।
ସଞ୍ଜ ହୋଇଲାଣି ବାପା ଆସିଲେଣି
ଆଣିଛନ୍ତି ଚାରା ଗଛ ,
କାଲି ସକାଳକୁ ବାଡ଼ିରେ ଲାଗିବ
ସେହି ସବୁ କୁନି ଗଛ ।
କୁନା କୁନି ଏବେ ଖୁସିରେ ଦାଣ୍ଡକୁ
ଆସିଲେ ବାପାଙ୍କୁ ଦେଖି ,
ଓଦା ମାଟି ଗୋଡ଼େ ବାଜିବାରୁ ଦୁହେଁ
ଖୁସିରେ ଉଠିଲେ ନାଚି ।
ଖଣ୍ଡଗିରି ,ଭୁବନେଶ୍ବର
Comments are closed.