ପ୍ରେମକଣ୍ଢେଇ
ସୋନାଲି ସ୍ୱାଇଁ
ତତେ ଲାଜ ପସନ୍ଦ ବୋଲି
ଲାଜ କ’ଣ ନ ଜାଣି ବି
ମୁଁ ଅଳଙ୍କାର କରି ପିନ୍ଧିନେଲି ସବୁ ଲାଜ
ତତେ ଭଅଁରର ଗୁଣୁଗୁଣୁ ପସନ୍ଦ ବୋଲି
ମୁଁ ବି ଗାଇବାକୁ ଲାଗିଲି ବେସୁରା ଗୀତ
ସେ ଶଂଖୀବିଲେଇ ଭାରି ଫୁଲେଇ ବୋଲି
ତୁ ତାକୁ କେତେ ଆଦର କରୁ
ବାସ ତୋ ପ୍ରେମଟିକକ ପାଇଁ ମୁଁ ବି
ପାଲଟିଗଲି ଟିକେ ଫୁଲେଇ…
ତତେ ଚିତ୍ର ପସନ୍ଦ ବୋଲି
ପେନସିଲ ଧରା ନ ଜାଣି ବି
ମୁଁ ଆଙ୍କିବସିଲି ତୋ ମୁହଁ
ତତେ ସେ ଫୁଲମାନଙ୍କ ହସ ପସନ୍ଦ ବୋଲି
ମୁଁ ବି ମୁହଁରେ ଲଗାଇଲି ଫେୟାର ଆଣ୍ଡ ଲଭଲି ପରି
କେଇପରସ୍ତ ଖିଲିଖିଲି ହସ
ମୋତେ କାନ୍ଦିବା ଆସେନି ବୋଲି
ଖୁବ ଚିଡେଇ ଚିଡେଇ ତୁ କହୁ-
ଝିଅଟା ହେଇ କାନ୍ଦ କଣ ଆସୁନି ଯେ ?
ଆଉ କାନ୍ଦିବା ଶିଖିଯିବା ପରେ
ମୋ ତକିଆ ବି ଆଜି ପ୍ରେମରେ…
ତୁ କବିତାରେ ନିଜକୁ ହଜାଇ ଦେଉ ବୋଲି
ତତେ ମୁଁ ବନାଇଲି ମୋ କାବ୍ୟପୁରୁଷ
ତୁ ଦୁଃଖ ସହି ପାରୁନି ବୋଲି
ମୁଁ ମୋ ସବୁ ଦୁଃଖକୁ ଗୋଟେଇନେଇ
ସମାଧି ଦେଇଦେଲି ନିଜ ଭିତରେ…
ଆଉ ତୁ ରାଗକୁ ଘୃଣା କରୁ ବୋଲି
ସବୁ ରାଗକୁ ଜରିରେ ସେଲୋଟେପ ମାରି
ଭସାଇ ଦେଲି ମୋ ଗାଁ ପୋଖରୀରେ…
ଶେଷରେ ତୁ ମୋ ପ୍ରେମକୁ ନ ବୁଝି
ମୋର ନାଁ ଦେଲୁ “ରଙ୍ଗ ବଦଳେଇବା ଚଢେଇ”
ଏବେ ନା ମୁଁ ହସି ପାରୁଛି,
ନା ମୁଁ କାନ୍ଦି ପାରୁଛି
ମୁଁ ତ ହେଇଯାଇଛି ଏକ ନିର୍ଜୀବ ପ୍ରେମକଣ୍ଢେଇ…
……………………………….
ବାରିଲୋ, ବୋରିକିନା
ଜଗତସିଂହପୁର
ପିନ -୭୫୪୧୧୦
ମୋ-୯୧୧୪୦୪୧୬୯୧
Comments are closed.