ପୁରୀ:ଉପାସ ରହିଲେ ପ୍ରଭୁ ସାକ୍ଷୀଗୋପାଳ । ବ୍ୟକ୍ତିଗତ ଆକ୍ରୋଶକୁ ନେଇ ଠାକୁରଙ୍କୁ ଉପାସ ରଖିଦେଲେ । ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ସାକ୍ଷୀ ଗୋପୀନାଥ ମନ୍ଦିରରେ । ମଶାଣୀ ଜମି ବିବାଦକୁ ନେଇ ସରକାରଙ୍କ ଉପରେ ରାଗି ଠାକୁରଙ୍କୁ ଉପାସ ରଖିଲେ ସେବାୟତ ।
ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସଦର ମହକୁମାରେ ରହିଛି ସାକ୍ଷୀଗୋପାଳ ମନ୍ଦିର । ମନ୍ଦିର ନିକଟରେ ତିଆରି ହେଉଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ଏହି ଜାଗାକୁ ଲାଗି ରହିଛି ସେବାୟତଙ୍କ ଶ୍ମଶାନ । ସେବାୟତମାନେ ବ୍ୟବହାର କରୁଥିବା ଏହି ଶ୍ମଶାନକୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଠିକାସଂସ୍ଥା ଭାଙ୍ଗି ଦେଇଛି । ଏହାକୁ ଦୃଢ ବିରୋଧ କରିଛନ୍ତି ସେବାୟତ । ଏହାର ପ୍ରତିବାଦରେ ସେବାୟତମାନେ ମନ୍ଦିରକୁ ବାହାରୁ ବନ୍ଦ କରି ଦେଇଛନ୍ତି । ଫଳରେ ଗତକାଲି ଠାରୁ ଠାକୁର ଉପବାସରେ ଅଛନ୍ତି ।
ଠାକୁରଙ୍କ ନୀତିକାନ୍ତି ବନ୍ଦ ହେବା ଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେବେ ବିବାଦ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆ ଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ । ଅନ୍ୟପକ୍ଷେ କେବେ ମନ୍ଦିର ଖୋଲିବ ଓ ଠାକୁରଙ୍କ ନୀତିକାନ୍ତି ହେବ ତାହା ବି ସ୍ପଷ୍ଟ ହୋଇପାରିନି।
Comments are closed.