ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୫ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବାହୁଡା ଉପଲକ୍ଷେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରର ବେସମେଣ୍ଟସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଦିଅଁ ମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।
ଏହାପରେ ଦିନ ୪ଟା ବେଳେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଏବଂ ଶଙ୍ଖ ଧ୍ଵନି ତଥା ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଚାରି ଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡ଼ି ପହଣ୍ଡି କରି ମନ୍ଦିର ସାମ୍ନା ସ୍ଥିତ ବଡ଼ଦାଣ୍ଡରେ ଦଣ୍ଡାୟମାନ ଥିବା ସୁନ୍ଦର, ସୁଶୋଭିତ ରଥ ଉପରକୁ ନେଇଯାଇଥିଲେ।
ଅପରାହ୍ନ ସାଢେ ୪ଟା ସମୟରେ ମୁଖ୍ୟ ଅତିଥି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତ ପାରମ୍ପାରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ଓ ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଏହାପରେ ସନ୍ଧ୍ୟା ୫ଟା ବେଳେ ରଥଟଣାର ଶୁଭାରମ୍ଭ ହୋଇଥିଲା।
ହାଉଜଖାସ ଭିଲେଜ ସ୍ଥିତ ଶ୍ରୀ ଜଗନ୍ନାଥ ମାର୍ଗରେ ଅରବିନ୍ଦ ପ୍ଲେସ ମାର୍କେଟ ପର୍ଯ୍ୟନ୍ତ ରଥଟିକୁ ଟଣାଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା। ଦିଲ୍ଲୀର ରାଜ ରାସ୍ତାରେ ରାଜକୀୟ ରଥ ଉପରେ ପ୍ରବଳ ପ୍ରତାପୀ ଠାଣିରେ ଭଗବାନଙ୍କର ବାହୁଡ଼ାଯାତ୍ରା ଏବଂ ଜନଗହଳି ମଧ୍ୟରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ଚକ୍ଷୁ ମିଳନର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ମନ୍ଦିର ଅଗଣାକୁ ଫେରିବା ପରେ ରଥ ଉପରେ ବିଦ୍ୟମାନ ଜଗତର ନାଥ ଶ୍ରୀ ଜଗନ୍ନାଥ, ବଡ଼ଭାଇ ଶ୍ରୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ, ଭକ୍ତ ମାନଙ୍କୁ ଦିବ୍ୟଦର୍ଶନ ପ୍ରଦାନ କରିଥିଲେ।
Comments are closed.