Latest Odisha News

ପୁସ୍ତକ ପରିଚୟ : ସୃଷ୍ଟି ସୁରକ୍ଷା ସୂତ୍ର

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା


ପ୍ରବନ୍ଧ ସଙ୍କଳନ : ସୃଷ୍ଟି ସୁରକ୍ଷା ସୂତ୍ର
ଲେଖକ :ଶ୍ରୀବତ୍ସ ପ୍ରଧାନ
ପୃଷ୍ଠା ‐ ୨୦୮, ମୂଲ୍ୟ ଟ୨୪୦ ମାତ୍ର

ଓଡ଼ିଶାର ସୁପରିଚିତ ଗାଳ୍ପିକ, ପ୍ରାବନ୍ଧିକ ତଥା କବି ଚନ୍ଦ୍ରଶେଖର ରଥ ଏକ ସାକ୍ଷାତକାରରେ କହିଥିଲେ ଯେ ସାହିତ୍ୟିକର ପ୍ରଥମ ଓ ଚରମ କର୍ତ୍ତବ୍ୟ ହେଉଛି ସମାଜକୁ ମାର୍ଗ ଦର୍ଶନ କରାଇବା । ଏକ ସୁନ୍ଦର, ସୁସ୍ଥ ସମାଜ ଗଠନରେ ଜଣେ ଲେଖକ ବା ସ୍ରଷ୍ଟାର ଭୂମିକା ସର୍ବାଦୌ ଗୁରୁତ୍ବପୂର୍ଣ୍ଣ । ସେଇଭଳି ଜଣେ ସମାଜମନସ୍କ ସାହିତ୍ୟିକ ହେଲେ ଶ୍ରୀଯୁକ୍ତ ଶ୍ରୀବତ୍ସ ପ୍ରଧାନ । ଦୀର୍ଘ ୩୫ବର୍ଷରୁ ଅଧିକ ସମୟ ଧରି ଶିକ୍ଷକତା ଭଳି ପବିତ୍ର ବୃତ୍ତିରେ ନିୟୋଜିତ ରହି ଅଗଣିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ସଂସ୍କାରର ଆଲୋକ ଦେଖାଇ ପାରିଛନ୍ତି । ଏତଦ୍ ବ୍ୟତୀତ ସେ ଜଣେ କରିତକର୍ମା ସମାଜସେବୀ ତଥା ସମ୍ବେଦନଶୀଳ ସାହିତ୍ୟିକ । ବହୁ ଚିନ୍ତା ଉଦ୍ରେକକାରୀ ଚିନ୍ତନମୁଳକ କବିତା, ଗଳ୍ପ, ପ୍ରବନ୍ଧ ଓ ଶିଶୁ ସାହିତ୍ୟ ତାଙ୍କ ଲେଖନୀ ନିଃସୃତ । ‘ବିବର୍ଣ୍ଣ ଉପତ୍ୟକା’ ଭଳି ଶିଶୁ ମନସ୍ତାତ୍ତ୍ବିକ ଉପନ୍ୟାସ, ‘ଆସ ସ୍ବର୍ଗ ଗଢିବା’ ଓ ‘ତୋହଲାଗି ଅବତାର’ ଭଳି ସଂସ୍କାରଧର୍ମୀ ଉପନ୍ୟାସ, ‘ଉର୍ଦ୍ଧ୍ବଗାମୀ’ ଭଳି ଚରିତ୍ର ନିର୍ମାଣ କବିତା ଗ୍ରନ୍ଥ ପ୍ରକାଶ ପାଇ ଲେଖକଙ୍କୁ ବେଶ୍ ପ୍ରସିଦ୍ଧି ଆଣିଦେଇଛି । ୨୦୧୨ରେ ଓଡିଶା ସାହିତ୍ୟ ଏକାଡେମୀ ଦ୍ବାରା ବରିଷ୍ଠ ସାହିତ୍ୟିକ ଭବେ ସମ୍ମାନୀତ ଶ୍ରୀଯୁକ୍ତ ପ୍ରଧାନଙ୍କର ଏକ ବହୁ ମୂଲ୍ୟ ପ୍ରବନ୍ଧ ସଂକଳନ ହେଉଛି “ସୃଷ୍ଟି ସୁରକ୍ଷା ସୂତ୍ର” । ଏଥିରେ ଲେଖକ ବ୍ୟକ୍ତି, ସମାଜ, ଶିକ୍ଷା, ସାହିତ୍ୟ, ସଂସ୍କୃତିର ଉତ୍କର୍ଷତା ଓ ଅଧୋପତନକୁ ନିଜସ୍ବ ଦୃଷ୍ଟିକୋଣରୁ ମୂଲ୍ୟାୟନ କରିଛନ୍ତି । ତତ୍ପରେ ନିଜ ବହୁମୂଲ୍ୟ ବିଚାରସିଦ୍ଧ ଦୃଷ୍ଟିଭଙ୍ଗୀକୁ ପାଠକ ସମାଜ ଉଦ୍ଦେଶ୍ୟରେ ସମର୍ପଣ କରି ଦେଇଛନ୍ତି ।

ସାହିତ୍ୟରେ ପ୍ରବନ୍ଧ ଏପରି ଏକ ବିଭାଗ ଯେଉଁଥିରୁ ଜଣେ ସ୍ରଷ୍ଟାର ସର୍ଜନଶୀଳ ମାନସିକତା, ସମୁନ୍ନତ ବୌଦ୍ଧିକ ବିଚାରଧାରା ତଥା ବିଶ୍ଳଷଣାତ୍ମକ ଦୃଷ୍ଟିଭଙ୍ଗୀର ପରିଚୟ ମିଳିଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ ବା ସମସ୍ୟାକୁ ଖୁବ୍ ନିରପେକ୍ଷ ଅଥଚ ବିଭିନ୍ନ ଦିଗରୁ ତର୍ଜମା କରି ନିଜ ମତାମତ ସହିତ ତତ୍ ସଂଲଗ୍ନ ଅନ୍ୟାନ୍ୟ ସଂପୃକ୍ତିକୁ ଆଲୋଚନାର ପରିସରକୁ ଆଣି ନିଷ୍କର୍ସରେ ପହଞ୍ଚିବା ନିଶ୍ଚିତ ଭାବରେ କାଠିକର ପାଠ । ବିଷୟଲବ୍ଧ ତଥ୍ୟ ସହ ନିଜ ବିଚାରସିଦ୍ଧ ସିଦ୍ଧାନ୍ତକୁ ପାଠକ ସମ୍ମୁଖରେ ଉପସ୍ଥାପନା କଲାବେଳେ ସଂପୃକ୍ତ ପ୍ରାବନ୍ଧିକର ମୌଳିକ ସ୍ରଷ୍ଟାପଣିଆକୁ ଅନୁଭବ କରିହୁଏ । ଓଡ଼ିଆ ସାହିତ୍ୟରେ ସମ୍ପ୍ରତି ପ୍ରବନ୍ଧ ବିଭାଗଟି ଅବହେଳିତ ମନେହୁଏ । ତେବେ ଯା’ ହେଉ ଶ୍ରୀଯୁକ୍ତ ପ୍ରଧାନଙ୍କ ପ୍ରୋକ୍ତ ପ୍ରବନ୍ଧ ଗ୍ରନ୍ଥ “ସୃଷ୍ଟି ସୁରକ୍ଷା ସୂତ୍ର”ର ସଂଯୋଜନ ଉଲ୍ଲେଖନୀୟ । ଶ୍ରୀଯୁକ୍ତ ପ୍ରଧାନ ଜଣେ ଆଦର୍ଶ ଶିକ୍ଷକ ପୁଣି ସମାଜ ସଂସ୍କାରକ । ତାଙ୍କ ପ୍ରବନ୍ଧରେ ଏଇ ଦୃଷ୍ଟିକୋଣ ଏବଂ ବିଚାରସିଦ୍ଧ ତର୍କ ପାଠକକୁ ତନ୍ମୟ କରେ ।

ଶିଶୁ ଚରିତ୍ର ନିର୍ମାଣରେ ଆମର ଦାୟିତ୍ବ’ରେ ଲେଖକ କୁହନ୍ତି ଯେ ‘ଆମେ ଶିଶୁ ଚରିତ୍ର ଗଢୁ ନାହୁଁ ଯେ ଆମ ଅଲକ୍ଷ୍ୟରେ ଜାତୀୟ ଚରିତ୍ର ନିର୍ମାଣ କରି ଦେଇଛୁ ଓ ବିଶ୍ବ ମାନବର ସ୍ରଷ୍ଟା ହୋଇ ଯାଇଛୁ’ । ଚରିତ୍ର ଗଠନ ମୂଳ ଉତ୍ସ ହେଲା ସମାଜ ଓ ସମାଜରେ ବାସ କରୁଥିବା ଗୁରୁଜନଗଣ । ସେମାନଙ୍କ କାର୍ଯ୍ୟକଳାପ, ଗୁଣାଦର୍ଶ, ବିବେକ ଓ ବିଚାର ଦ୍ବାରା ଆକର୍ଷିତ ହୋଇ ଶିଶୁ ଚରିତ୍ର ଗଠନର ମୂଳଦୁଆ ପଡେ । ଯେମିତି କଞ୍ଚା ମାଟିକୁ ହିଁ ସମୁଚିତ ଆକାର ଦିଆଯାଏ ସେମିତି ଶିଶୁର କଅଁଳ ମନ ଯାହା ଦେଖିବ ବା ଶୁଣିବ ତାକୁ ହିଁ ଅନୁସରଣ କରିବ । ଆମ ପରମ୍ପରାର ଗୁରୁବାଣୀ ହେଉଛି ‘ବହୁଜନ ହିତାୟ, ବହୁଜନ ସୁଖାୟ’ । ତେଣୁ ସମାଜ ଓ ପରିବାର ହିଁ ଶିଶୁ ଚରିତ୍ରକୁ ସୁନିପୁଣ ତଥା ସତମାର୍ଗୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଅତଏବ ପ୍ରଥମେ ନିଜକୁ ପରିମାର୍ଜିତ କରିବା ବିଧେୟ । ‘ଶିଶୁଙ୍କୁ ନୈତିକ ଶିକ୍ଷା’ ପ୍ରବନ୍ଧରେ ମଧ୍ୟ ଲେଖକ ବହୁ ଉଦାହରଣ ମାଧ୍ୟମରେ ସେଇ ମଞ୍ଜକଥାଟିକୁ ବୁଝାଇଛନ୍ତି । ସଚେତନତା ଓ ସହୃଦୟତା ପରିବାର, ସମାଜ, ଦେଶ ଓ ବିଶ୍ବ ଗଠନରେ ତଥା ଜଣେ ଶିଶୁକୁ ଜଣେ ସୁନାଗରିକ କରି ତୋଳିବାରେ ସହାୟକ ହୋଇଥାଏ ।

‘ଜିଜ୍ଞାସା’ ପ୍ରବନ୍ଧରେ ଲେଖକ ପ୍ରକୃତ ଜ୍ଞାନୀର ସଂଜ୍ଞା ଦେବାକୁ ଯାଇ ଲେଖନ୍ତି ‘ଯାହା ପାଖରେ ଜିଜ୍ଞାସା ଥାଏ ସେ ହିଁ ଜ୍ଞାନୀ । ଜାଣିବାର ଇଚ୍ଛା ନଥିଲେ ଜୀବଜଗତ, ବିଜ୍ଞାନ, ସାହିତ୍ୟ ବା ଅନ୍ୟ ସମସ୍ତ କାରିକାର କ୍ରମୋନ୍ନତି ହୋଇ ପାରିନଥାନ୍ତା । ମନୁଷ୍ୟ ସେଇ ପ୍ରସ୍ତର ଯୁଗରେ ସୀମିତ ରହି ଯାଇଥାଆନ୍ତା । ତାର ମାନସିକ, ଶାରୀରିକ ଓ ବୌଦ୍ଧିକ ପ୍ରଗତି ଆଜି ଯାହା ବି ସମ୍ଭବ ହୋଇଛି କେବଳ ‘ଜିଜ୍ଞାସା’ ଯୋଗୁଁ । ଲେଖକଙ୍କ ମତରେ ପ୍ରତ୍ୟେକ ମନୁଷ୍ୟ ଅନ୍ତଃକରଣରେ ଜିଜ୍ଞାସାରୂପୀ ବିସ୍ଫୋରକ ସଯତ୍ନରେ ଅଛି । ସମୟ ସୁଯୋଗ ପାଇଲେ ବିସ୍ଫୋରଣ ଘଟି ବ୍ୟକ୍ତିତ୍ବ, ସମାଜ ଓ ପୃଥିବୀକୁ ନୂତନ ଆଲୋକରେ ଆଲୋକିତ କରେ ।

ଶିକ୍ଷା ହେଉଛି ମନୁଷ୍ୟର ମୌଳିକ ଆବଶ୍ୟକତା । ଶିକ୍ଷା ହିଁ ମନୁଷ୍ୟକୁ ସଚେତନ କରାଏ, ବୌଦ୍ଧିକ ଆକାଂକ୍ଷାକୁ ପରିବ୍ୟାପ୍ତ କରାଏ । ଉପଯୁକ୍ତ ଶିକ୍ଷା ହିଁ ଉପଯୁକ୍ତ ନାଗରିକ ନିର୍ମାଣରେ ସହାୟକ । ସୁନାଗରିକଟିଏ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହୁଏ । ଲେଖକ ଶିକ୍ଷାର ଆବଶ୍ୟକତା, ଏହାର ବିଭିନ୍ନ ଦିଗ, ବର୍ତ୍ତମାନିକ ପରିସ୍ଥିତିରେ ଏହାର ପରିବର୍ତ୍ତିତ ସ୍ବରୂପ, ପ୍ରୟୋଗ ଓ ଶିକ୍ଷକର ଦାୟିତ୍ବ, କର୍ତ୍ତବ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଲେଖକ ନିଜେ ଶିକ୍ଷାଦାନ ଭଳି ପବିତ୍ର ବୃତ୍ତିରେ ଦୀର୍ଘ ସମୟ ଧରି ବ୍ରତୀ ରହିବା ଯୋଗୁଁ ଏହାର ସମସ୍ୟା ଓ ସମ୍ଭାବନା ସମ୍ପର୍କରେ ବେଶ୍ ଭଲ ଭାବରେ ଅବିହିତ । ତେଣୁ ଶିକ୍ଷାର ବିଭିନ୍ନ ଦିଗ ଉପରେ ଜଣେ ସଚେତନଶୀଳ ଦାୟିତ୍ବବାନ ଶିକ୍ଷକର ଦୃଷ୍ଟି ନେଇ ଅନୁଶୀଳନ କରିଛନ୍ତି । ସେହି ନିଷ୍କର୍ସକୁ ଏକାଧିକ ପ୍ରବନ୍ଧରେ ଉପସ୍ଥାପନ କରିଛନ୍ତି ।

ମନୁଷ୍ୟ ଶରୀର ଯଦି ଆଧ୍ୟାତ୍ମିକ ମନ୍ଦିର ହୁଏ ମସ୍ତିଷ୍ଖ ହେଉଛି ବହୁବିଧ ଚିନ୍ତା ଓ ଚେତନାର ଉତ୍ପାଦ ସ୍ଥଳୀ । ପ୍ରତି ମୁହୂର୍ତ୍ତରେ ନାନା ପ୍ରକାର ଭାବନା ମସ୍ତିଷ୍କ ରାଜ୍ୟରେ ଉଙ୍କି ମାରେ । ତନ୍ମଧ୍ୟରୁ କିଛି ସକରାତ୍ମକ କିଛି ନକରାତ୍ମକ । ପ୍ରଥମ ଚିନ୍ତାଧାରା ଯୋଗୁଁ ତାର ବୌଦ୍ଧିକ ଓ ଆଧ୍ୟାତ୍ମିକ ଚେତନାର ଅଗ୍ରଗତି ଘଟେ । ଫଳତଃ ଏକ ସମୁନ୍ନତ ମୂଲ୍ୟବୋଧର ଜୀବନ ଜୀଇଁବାକୁ ସମର୍ଥ ହୁଏ । ଦ୍ବିତୀୟ ପ୍ରକାର ଚିନ୍ତାଧାରା ତା’ ଅନ୍ତର୍ମନରେ ଭୋଗ, ବିଳାସ କାମନା, ବାସନା ଭଳି ଭୌତିକ ଲାଳସା ଉଜ୍ଜୀବିତ ହୁଏ । ଏକ ଅବକ୍ଷୟୀମୁଖୀ ଜୀବନଧାରାରେ ପତିତ ହୋଇ ସେ ନିକୃଷ୍ଟ ଜୀବନ ଧାରଣ କରେ । ଲେଖକ ସୁ ଓ କୁ ମଧ୍ୟରେ ଥିବା ଏଇ ପାର୍ଥକ୍ୟକୁ ଅନେକ ପ୍ରବନ୍ଧରେ ଉପସ୍ଥାପନ କରିଛନ୍ତି । ସେଥିପାଇଁ ସେ ବେଦ ବେଦାନ୍ତ, ଗୀତା, ଭାଗବତର ଅନେକ ଉଦ୍ଧୃତାଂଶ ନେଇ ମନୋଜ୍ଞ ଶୈଳୀରେ ଲେଖିଛନ୍ତି । ଧର୍ମ, ସଂସ୍କୃତି, ଆଧ୍ୟାତ୍ମିକତା, ବିଜ୍ଞାନକୁ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ପରଖିଛନ୍ତି । ନିଜର ସାଂସ୍କୃତିକ ଆଦର୍ଶ, ଉଚ୍ଚ ମୂଲ୍ୟବୋଧଭିତ୍ତିକ ଚିନ୍ତାଧାରା ତଥା ଏକ ଉନ୍ନତ ଜୀବନଶୈଳୀ, ରାଷ୍ଟ୍ର ଗଠନ ଓ ବିଶ୍ବ ଶାନ୍ତି ନିମିତ୍ତ ଯାହା ସବୁ ନିତାନ୍ତ ଆବଶ୍ୟକ ତାକୁ ଖୁବ୍ ସୁନ୍ଦର ଭାବେ ବ୍ୟକ୍ତ କରିଛନ୍ତି । ପ୍ରକାଶଭଙ୍ଗୀରେ ସ୍ବଚ୍ଛଳତା, ଭାବୋଦ୍ଦୀପକ ଭାଷା ଓ ଆବେଗମୟ ସ୍ବତଃସ୍ଫୁର୍ତ୍ତ ରଚନାଶୈଳୀ ମାଧ୍ୟମରେ ପ୍ରାବନ୍ଧିକ “ସୃଷ୍ଟି ସୁରକ୍ଷା ସୂତ୍ର”ର ମୌଳିକ ଚିନ୍ତାଧାରାକୁ ବିଶାଳ ଜନସମାଜ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।

୭୩୭୭୮୮୯୯୧୬
ନୀଳଚକ୍ର ନଗର
ଅଠରନଳା
ପୁରୀ

Comments are closed.