Latest Odisha News

BREAKING NEWS

Protest Against Police: ଅପହରଣ ପରେ ହତ୍ୟା ଘଟଣା: ଶବ ଶୋଭାଯାତ୍ରା କରି ହତ୍ୟାର ପ୍ରତିବାଦ…ଜାଳିଦେଲେ ବାଇକ୍‌

ରାୟଗଡ଼ା:ଇନ୍ଦିରା ନଗର ୩ୟ ଲାଇନରେ ଗୁଳିକାଣ୍ଡ କରି ସଦର ରେଲି ସାହିର ଯୁବକ ନିଖିଲ ହାଡ଼ିପାଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ରାୟଗଡା ସହରରେ ଚାପା ଉତ୍ତେଜନା ଦେଖାଦେଇଛି  । ଗତ ଶନିବାର ଅପହରଣ ଓ ରବିବାର ନଦୀ ପଠାରେ ମିଳିଥିଲା ମୃତଦେହ ।ଅପହରଣ ନେଇ ପୋଲିସକୁ ଅବଗତ ସତ୍ତ୍ବେ ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି । ଉତ୍ତ୍ୟକ୍ତ ଲୋକେ ଆଜି ସକାଳ ୯ରୁ ଟାୟାର ଜାଳି ରାସ୍ତାରୋକ କରିବା ସହ ଥାନା ଘେରଉ କରିଥିଲେ । ଆଜି ସ୍ଥାନୀୟ ସାହି ବାସିନ୍ଦା ମୃତଦେହକୁ ଧରି ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଉତ୍ୟକ୍ତ ଶୋଭାଯାତ୍ର।କାରୀମାନେ ରାୟଗଡ଼ା ବସ ଷ୍ଟାଣ୍ଡ ନିକଟରେ ଗୋଟିଏ ବାଇକକୁ ନିଆଁ ଲଗେଇ ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ।

ମୃତ ନିଖିଲର ବାପା ଶିବା ହାଡ଼ିପା ପୁଅ ନିଖିଲର ହତ୍ୟାକୁ ନେଇ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ପୋଲିସ ତଦନ୍ତରେ ସହଯୋଗ କରୁନାହିଁ । ଏହି ହତ୍ୟାକାଣ୍ଡରେ ଦଶରୁ ଅଧିକ ଅଭିଯୁକ୍ତ ରହିଛନ୍ତି ଓ ସେମାନଙ୍କ ନାଁ ଆମେ ପୋଲିସକୁ କହିଛୁ, କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

ଖବର ମୁତାବକ, ଗତ ୯ ତାରିଖ ଦୁଇଜଣ ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରିଚକିଆ ଗାଡିରେ ଆଉ କିଛି ଯୁବକ ସହରର ଜନଗହଳିପୂର୍ଣ୍ଣ ଇନ୍ଦିରା ନଗର ତୃତୀୟ ଲାଇନରେ ରାୟଗଡା ଆମ୍ବେଦକର ନଗରର ହାଡିପା ନିଖିଲ ନାମରେ ଜଣେ ଯୁବକଙ୍କୁ ଅଟକାଇଥିଲେ । ସେଠାରେ ଦୁର୍ବୃତ୍ତଙ୍କ ସହ ନିଖିଲଙ୍କ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ନିଖିଲ ପ୍ରାଣ ଭୟରେ ଦୌଡିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ନିଖିଲ ପ୍ରାଣ ଭୟରେ ଜଣଙ୍କ ଘରକୁ ପସିଯିବାକୁ ଉଦ୍ୟମ କରିବା ବେଳେ ପଛରେ ଗୋଡାଉଥିବା ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ସହରର ରିଂ ରୋଡ ପଟେ ଚାଲି ଯାଇଥିଲେ । ପରେ ନିଖିଲଙ୍କୁ ହତ୍ୟା କରି ନଦୀକୂଳରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ । ଏପଟେ ଗତକାଲି ରାତିରେ ଶବ ବ୍ୟବଛେଦ ପରେ ପୋଲିସ ପରିବାରକୁ ଶବ ହସ୍ତାନ୍ତର କରିଥିଲେ ।

ପୁଅର ହତ୍ୟା ଘଟଣାରେ ସହରରେ ଆଉ ଏକ ଗ୍ୟାଙ୍ଗର ହାତ ରହିଥିବା ତାଙ୍କ ମାଆ ହାଡ଼ିପା ବାଲାମା ଅଭିଯୋଗ କରିଛନ୍ତି । ମୃତ ନିଖିଲର ପତ୍ନୀ ତିନି ମାସର ଗର୍ଭବତୀ । ଟାଉନ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାଥାଉକି, କୋରାପୁଟଜିଲ୍ଲା ବନ୍ଧୁଗାଁ ବ୍ଲକ ଆଲମଣ୍ଡରେ ଗୋଟିଏ ଜୁଆ ଆଡ୍ଡାରୁ କୋଟିଏ ରୁଅଧିକ ଟଙ୍କାର ସୁନା ଏବଂ ଟଙ୍କା ଲୁଟ ହୋଇଥିଲା । ଜୁଆ ଆଡ୍ଡାରୁ ଲୁଟ ହୋଇଥିବା ଯୋଗୁଁ କେହି ଥାନାରେ ଏତଲା ଦେଇ ନଥିଲେ । ଏହି ଲୁଟ ଘଟଣାରେ ମୃତ ନିଖିଲ ଓ ଅନ୍ୟମାନଙ୍କ ହାତ ରହିଥିବା କୁହାଯାଇଛି । ଜୁଆ ଖେଳକୁ ଆୟୋଜନ କରୁଥିବା ବ୍ୟକ୍ତିମାନେ ମୃତ ନିଖିଲ ଓ ଅନ୍ୟମାନଙ୍କୁ ଲୁଟ କରିଥିବା ଟଙ୍କା ସୁନାକୁ ଫେରାଇବା ପାଇଁ ଚାପ ପକାଉଥିଲେ । କିନ୍ତୁ ନିଖିଲ ଧରାଛୁଆଁ ଦେଉନଥିଲେ ।

Leave A Reply

Your email address will not be published.