Latest Odisha News

କବିତା : ସେଇ ହସ

ସଞ୍ଜିତା ପ୍ରଧାନ

ଅଗଣିତ ଭାଗରେ ବିଭକ୍ତ ଆଜ
ସନ୍ତର୍ପଣରେ ସାଉଁଟି ଥିବା
ତୋ’ର ଅନିନ୍ଦ୍ୟ କଳେବର,
ସମଗ୍ର ଅବୟବ କାଳାନଳେ ଦଗ୍ଧ
ଆଜନ୍ମ ସଞ୍ଚିତ ସ୍ୱାଭିମାନର ।।

ଦେଖିଥିବା ପୁଞ୍ଜାଏ ସ୍ବପ୍ନ
ଚେଇଁଥିବା ମୁଦ୍ରିତ ନୟନ ଯୁଗଳେ
ଅନାୟାସେ ନିବର୍ତ୍ତି ଯା’ନ୍ତି,
ଅର୍ଣ୍ଣବ କଲ୍ଲୋଳେ କିଛି ନିରୀହ ପଣ
ବାଲୁକା ଶଯ୍ୟାକୁ ଜାବୁଡ଼ି
ଲବଣାକ୍ତ ହୁଅନ୍ତି ।।

ତୁ ସ୍ୱୟଂକୁ ପରିହାସ କରୁ,
ଅନ୍ୟର ପଥପ୍ରଦର୍ଶକ ସାଜି
ନିଜେ ପଥଭ୍ରଷ୍ଟ ହେଲୁ ଲକ୍ଷ୍ୟ ଅଲକ୍ଷ୍ୟରେ,
ଜୀର୍ଣ୍ଣ ଅର୍ଗଳ ଛିନ୍ନ ଅନ୍ତେ
ସବୁ ଦୋଷ ଅଜାଡ଼ି ଦେଉ
ତୋ’ ସରଳବିଶ୍ୱାସୀ ହସ ଉପରେ ।।

ପାପଗର୍ତ୍ତେ ପୁଣ୍ୟର ଅନ୍ୱେଷଣ କରି
ମହୋଲ୍ଲାସେ ତୁ ନିମଗ୍ନ ରହିଲୁ,
ହିତାହିତ ବିସ୍ମରଣେ
ଅନ୍ୟାୟକୁ ନ୍ୟାୟରେ ଗଣନା କଲୁ ।।

କଦାଚିତ୍ ସୁବର୍ଣ୍ଣ ମୁହୂର୍ତ୍ତର
ପ୍ରଲେପ ଅଦୃଶ୍ୟ ହେଲାପରେ,
ଝଲସୁଥିବା ସବୁକିଛି
ଉଦ୍ଭାସିତ ହେଲା ବାସ୍ତବ ରୂପରେ,
ସ୍ପଷ୍ଟ ବାରିହେଲା ଯନ୍ତ୍ରଣାସିକ୍ତ ଆବେଗର
ଭିଡ଼କୁ ସେଇ ହସରେ ।

ସୁନ୍ଦରଗଡ଼

Comments are closed.