ଭାରତୀ ସରିତା ମହାନ୍ତି
ଲେଖିଥିଲ ଭାଗ୍ୟ ହେ ପରମେଶ୍ବର
ସାଥୀ ହେବ ଆଖି ଲୁହ
ମମତାର ମୂଲ ବୁଝିବେନି କେହି
କାହିଁ ଜନ୍ମ ଦେଲ କୁହ।
ଅମାବସ୍ୟା ପରେ ଆସଇ ପୂର୍ଣ୍ଣିମା
ସୁଖ ପରେ ଆସେ ଦୁଃଖ
ମଣିଷଟିଏ ଯେ ସାଜୁଛି ପଥର
ତୁମକୁ ଲାଗୁଛି ସୁଖ।
ପାପୀ ତରିଯାଏ ତୁମ ନାମ ଧରି
କେମିତି ପାପୀ ମୁଁ କୁହ
ମୁକତିର ମାର୍ଗ ଦିଅ ହେ ବତାଇ,
ଆଉ ମଉନ ନରୁହ।
ମାଗି ମୁଁ ନଥିଲି ଯାହା ଦେଇଅଛ
ଆଶା ଠୁ ଅଧିକ ଦେଲ
ଅଶାନ୍ତି ଅସୂୟା ଅତିଥି ହୋଇଲେ
ଶାନ୍ତିକୁ ଛଡେଇ ନେଲ।
ଭକ୍ତଙ୍କ ପରୀକ୍ଷା ନିଅ ବୋଲି ପ୍ରଭୁ
ଅଙ୍ଗେ ଆଜି ଲିଭାଇଲି
ସବୁ ପରୀକ୍ଷାରେ ଅସଫଳ ହେଲି
ଇଶରା ବି ପାଇ ଗଲି।
ମାତା ସୀତା ସିନା ଭୂମି କନ୍ୟା ବୋଲି
ଆଦରିଲେ ଦୁଃଖ ଦେଖି
ମୋ ବେଦନା ମୋତେ କରେ ହନ୍ତ ସନ୍ତ
କେବଳ ତୁମେ ହିଁ ସାକ୍ଷୀ।
ଇଚ୍ଛା ମୃତ୍ୟୁ ଜାଣି ଭୀଷ୍ମ ପିତାମହ
ଶୋଇଲେ ଶର ଶଯ୍ୟାରେ
ସେଇ ଯନ୍ତ୍ରଣାର ଅନୁଭବୀ ସିଏ
ଭୋଗିଲେ ଇଛାନୁସାରେ।
କେଉଁ ଦୋଷ ପାଇଁ କୁହ ହେ ଅହଲ୍ୟା
କଷ୍ଟ ପାଇଲେ ଜୀବନେ
ତୁମ ପାଦସ୍ପର୍ଶ ଲେଖାଥିଲା ଭାଗ୍ୟେ
ଲେଖା ହୋଇଲା ପୁରାଣେ।
ନୁହେଁ ମୁଁ ଅହଲ୍ୟା ନୁହେଁ ମୁହିଁ ସୀତା
ନୁହେଁ ଯେବେ ପିତାମହ
ଆୟୁଷ ମୋହର ଶେଷ ହେଲେ ସିନା
ଭେଟ ହେବ ତୁମ ସହ।
ଜୀବିତ ରହି ମୁଁ ଯେତେ ପଚାରୁଛି
ନଦିଅ ଉତ୍ତର କେବେ
ମୃତ ହେଲା ପରେ ସବୁର ଉତ୍ତର
ତୁମଠୁ ପାଇବି ତେବେ।
କେଉଁ ଦୋଷେ ପ୍ରଭୁ ଜୀବନ ଯନ୍ତ୍ରଣା
କମିବାର ନାହିଁ ଲେଶ
ତୁମରି ଚରଣେ ନେଇଛି ଶରଣ
କାହିଁ ଆସେ ଅବସୋସ।
ତୁମରି ନିର୍ଦ୍ଦେଶେ ଜୀବନ କଷଣ
ମଥା ପାତି ସହିଯାଏ
ଆଗକୁ ଆଗକୁ ପଥ ବହୁ ଦୂର
ଆଉ ସାହସ ନପାଏ ।
ଧର୍ମର ନିକିତି ଭାରି ପଡୁଅଛି
ସତ୍ୟର ଯେବେଳେ ଜୟ
ମିଥ୍ୟା ଅତ୍ୟାଚାର ହରାଏ ସର୍ବସ୍ବ
ଶେଷରେ ପାଏ ସେ ନ୍ୟାୟ।
ହରେଇବା ଦୁଃଖ ଜୟରେ କି ସୁଖ
ଏହା କି ବିଚାର ତୁମ
ଅନ୍ୟାୟ ମାଗୁଛି ନ୍ୟାୟକୁ ନ୍ୟାୟ ଯେ
ଏହା ମଧ୍ୟ ତୁମ କାମ।
ଆଖି ଦୁଇ ଆଜି ଥକି ପଡ଼ିଲାଣି
ଦୁନିଆ ହେବ ଅନ୍ଧାର
ଅଭିନୟ ସଦା ଭାରି ପଡୁଅଛି
ମିଛ ଏ ରଙ୍ଗ ମଂଚର।
ଆସେ ମନେ ପ୍ରଶ୍ନ ପାଇବି କଷଣ
ଯାହା ଭାଗ୍ୟେ ଅଛି ଲେଖା
ଅଭିମନ୍ୟୁଙ୍କର ଚକ୍ରବ୍ୟୁହ୍ଵ ଗାଥା
ଲିଭିଥିଲା ଦୀପ ଶିଖା।
ମୁଁ ଛାର ମଣିଷ କରିବି ବା କିସ
ଅପେକ୍ଷା ହିଁ ହେବ ସାର
ମାତା କୁନ୍ତୀଙ୍କର ତୁମ ପ୍ରତି ଭାବ
ପାଥେୟ ମୋ’ ଜୀବନର।
ଦୁଃଖ ପରେ ଦୁଃଖ ଯେତେ ଦିଅ ପ୍ରଭୁ
ସହିବାର ଦିଅ ଶକ୍ତି
ତୁମରି ଚରଣେ ନେଲେ ମୁଁ ଶରଣ
ଜୀବନୁ ପାଇବି ମୁକ୍ତି।
ମାଗିବିନି ଧନ ମାନ ସନମାନ
ପାଏ ଯେତେ ଅପମାନ
ଶେଷ ନିଃଶ୍ୱାସକୁ ଦେବ ଦରଶନ
ବିଶ୍ୱାସ ରଖିଛି ଜାଣ।
ବାଲିଆପାଳ
ବାଲେଶ୍ୱର
Comments are closed.