Latest Odisha News

BREAKING NEWS

ସର୍ବେଶ୍ଵର ଦାଶଙ୍କ ଆତ୍ମଜୀବନୀର ୨ୟ ଖଣ୍ଡ ଉନ୍ମୋଚିତ

ଭୁବନେଶ୍ୱର : ‘ଶିକ୍ଷାସନ୍ଧାନ’ ତଥା ରେଭେନ୍ସା ଇଂରାଜୀ ବିଭାଗର ପୁରାତନ ଛାତ୍ର ସଂସଦର ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ଅଗ୍ରଣୀ ସରକାରୀ କଲେଜରେ ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ତଥା ଅଧ୍ୟକ୍ଷ ଭାବରେ ସୁନାମ ଅର୍ଜନ କରିଥିବା ସର୍ବେଶ୍ଵର ଦାଶଙ୍କର ଅବର୍ତ୍ତମାନର ୧୪ ବର୍ଷ ପରେ ତାଙ୍କର ଆତ୍ମଜୀବନୀ, ‘ମୋ କାହାଣୀ’ର ଦ୍ବିତୀୟ ଭାଗ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସ୍ବର୍ଗତ ଦାଶଙ୍କର ଅନେକ ଛାତ୍ର, ଅଧ୍ୟାପକ ତଥା ସାହିତ୍ୟିକମାନେ ଉପସ୍ଥିତ ଥିଲେ।

ରେଭେନ୍ସା କଲେଜରେ ଏକଦା ଛାତ୍ର ଆନ୍ଦୋଳନ ବେଳେ ସ୍ବର୍ଗତ ଦାଶ ପୋଲିସର ଲାଠି ଓ ଗୁଳିମାଡରୁ ନିଜର ପ୍ରିୟ ଛାତ୍ରମାନଙ୍କୁ ବଞ୍ଚାଇବାକୁ ଯାଇ କଲେଜ ଗେଟ୍ ବାହାରକୁ ଆସି ଛାତି ପତାଇଦେବା ଫଳରେ ନିଜେ ପୋଲିସର ମାଡରେ ରକ୍ତ ଜୁଡୁବୁଡୁ ହୋଇ ସଂଜ୍ଞାହୀନ ହୋଇପଡିଥିଲେ। ଏହି ଘଟଣାର ବର୍ଣ୍ଣନା ଉନ୍ମୋଚିତ ଆତ୍ମଜୀବନୀରେ ଉଲ୍ଲେଖ କରାଯାଇଛି ବୋଲି ପ୍ରକାଶକ ଅନିଲ ପ୍ରଧାନ ସୂଚନା ପ୍ରଦାନ କରିବା ସହ ରେଭେନ୍ସା ଇଂରାଜୀ ବିଭାଗ ଆଲୁମିନି ଆସୋସିଏସନ୍’ର ସମ୍ପାଦକ ପ୍ରଦୋଷ କୁମାର ମହାନ୍ତିଙ୍କ ସମେତ ଉପସ୍ଥିତ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସ୍ବର୍ଗତ ଦାଶଙ୍କ ଦ୍ବାରା ଲିଖିତ ଆତ୍ମଜୀବନୀର ପ୍ରଥମ ଭାଗଟି ୨୦୦୯ ମସିହାରେ ପ୍ରକାଶ ପାଇଥିଲା। ଏହାପରେ ଏହାର ଦ୍ବିତୀୟ ଭାଗଟି ବିଷୟରେ ସଠିକ ତଥ୍ୟ ନ ମିଳିବା ଫଳରେ ତାହା ପ୍ରକାଶ କରିବା ସମ୍ଭବ ହୋଇପାରିନଥିଲା।

Comments are closed.