ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମତକୁ ନ ଦେଇ ଗୁରୁତ୍ବ
ଆମେ ରହିଲେ କର୍ମରତ
ହେବା ସମାଧାନର ଅଂଶ
ସ୍ବଭାଷା କରିବାନି ଧ୍ବଂସ
କେହି ବି ନାହାଂତି ବଇରି
ତେବେ ବି ମିଛେ ଡରି ଡରି
ପାଳୁଛୁଁ ମନେ କୁଂଠା, ଦ୍ବିଧା
ତାହା ହିଁ ମୁଖ୍ଯ ଅସୁବିଧା
ଯାହା ଶୁଣଂତି, ତାହା କହି
ବହୁତ ଲୋକ ଥାଂତି ରହି
ଯାହା ପଢ଼ଂତି, ତାହା ଲେଖି
ଦେଖାଂତି ଭାଷାର ଭେଳିକି
ଏପରି ଲୋକଂକ ସଂପୃକ୍ତି
ଲାଭ ନ ଦେଇ, କରେ କ୍ଷତି
ସଫା ପଡ଼ୁଛି ସବୁ ଜଣା
ଦୁର୍ଦଶା ହେଉନାହିଁ ଊଣା
ବଦଳିଯିବା ପାଇଁ ଡରି
ସଂଗ୍ରାମ ଆରଂଭ ନ କରି
ରହଂତି ସର୍ବଦା ନିଷ୍କ୍ରିୟ
ତେଣୁ ଲାଗିରହିଛି ଭୟ
ଶହେରୁ ଜଣେ ସଚେତନ
ହୋଇଲେ, ଆଉ କେତେ ଜଣ
ତା’ଠାରୁ ପାଆଂତି ପ୍ରେରଣା
କାହାକୁ ନୁହେ ତ ଅଜଣା
ଶହେରୁ ଶହେ ଡରକୁଳା
ହୋଇଲେ, ଭାଷା ଅବହେଳା
ସହି ବି ଥାଏ ସିନା ରହି
ଆଦୌ ଉନ୍ନତ ହୁଏନାହିଁ
ଦୂରଦୃଷ୍ଟି-ସଂପନ୍ନ ନେତା
ନ ଥିଲେ ଏପରି ଅବସ୍ଥା
ଘଟିବା ଅଟେ ସ୍ବାଭାବିକ
ବୁଝଂତିନାହିଁ ଆମ ଲୋକ
ଆମର ସୁଜ୍ଞାନୀ, ସଜ୍ଜନ
ଯାହା ବି ହେଉଛି ନୂତନ
କରଂତିନାହିଁ ସମର୍ଥନ
ଦ୍ବିଧା-ପୂରିତ ତାଂକ ମନ
ଭାଷାରେ ଭରି ନୂତନତା
କହି ନ ଜାଣି ସଫା କଥା
ପ୍ରସଂଗ କରଂତି ଜଟିଳ
ଜଣାପଡ଼େନି ଫଳାଫଳ
ନିର୍ଦିଷ୍ଟ ଭାବ, ସ୍ପଷ୍ଟ ଭାଷା
ଯଦିଓ ପୂରାକରେ ଆଶା
ତାହା ସବୁଠି ରହେ ଲୁଚି
ଟିକେ ବି ପାରେନାହିଁ ଘୁଂଚି
Comments are closed.