ରାୟପୁର: ଆଜିକାଲି ଛୋଟପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ପାଇଁ ପାଗଳ । ବିନା ମୋବାଇଲରେ ରହିବା ଏବେ ସମସ୍ତଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ସେଥିଲାଗି ସହରଠୁ ଆରମ୍ଭ କରି ଗାଁ ଗହଳିରେ ଭଲ ନେଟୱାର୍କ ପାଇଁ ମୋବାଇଲ ଟାୱାର ସ୍ଥାପନ କରାଯାଉଛି । ହେଲେ ଛତିଶଗଡ଼ରେ ଏମିତି ଏକ ଗାଁ ଅଛନ୍ତି, ଯେଉଁଠି ମୋବାଇଲ ଟାୱାର ବସାଇବା ପାଇଁ ଅନୁମତି ନାହିଁ । ଯଦି କୌଣସି କମ୍ପାନୀ ଟାୱାର ବସାଇବାକୁ ଚେଷ୍ଟା କରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏପରି ପରିସ୍ଥିତିରେ ଏଠାକାର ଲୋକେ ମୋବାଇଲଠାରୁ ଦୂରେଇ ରହିବାକୁ ଚାହାଁନ୍ତି । ଏହାର କାରଣ ଜାଣିଲେ ଆପଣ ଚକିତ ହୋଇଯିବେ ।
ଛତିଶଗଡର ଗରିଆବାଣ୍ଡ ଜିଲ୍ଲାର ଲାଖେରା ଗାଁ । ଏହି ଗାଁରେ ୬ଶହରୁ ଊଦ୍ଦ୍ୱର୍ ପରିବାର ବସବାସ କରୁଛନ୍ତି । ଏହି ଗାଁକୁ ପ୍ରତିବର୍ଷ କିଛି ସମୟ ପାଇଁ ବିଦେଶୀ ପକ୍ଷୀ ଆସିଥାନ୍ତି । ଏଠାକାର ଗ୍ରାମବାସୀ ନିଜ ଗାଁ ଓ ପାଖ ଗାଁରେ ମୋବାଇଲ ଟାୱାର ବସାଇବାକୁ ଅନୁମତି ଦିଅନ୍ତି ନାହିଁ । କାରଣ ସେମାନଙ୍କ ଭୟ ଥାଏ ଯେ, ଟାୱାରରୁ ଉତ୍ପନ୍ନ ବିକିରଣ ଗାଁକୁ ଆସୁଥିବା ସୁନ୍ଦର ସୁନ୍ଦର ବିଦେଶୀ ପକ୍ଷୀମାନଙ୍କ ଜୀବନ, ପ୍ରଜନନ ଉପରେ ପ୍ରଭାବ ପକାଇବ । ଏଠାରେ ଯେଉଁମାନେ ପକ୍ଷୀମାନଙ୍କୁ କ୍ଷତି କରନ୍ତି ସେମାନଙ୍କଠାରୁ ଗ୍ରାମବାସୀ ଜରିମାନା ଆଦାୟ କରନ୍ତି । ଆଜିର ଦୁନିଆରେ ଲୋକମାନେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ସଂଯୁକ୍ତ ରହିବାକୁ ଚାହାଁନ୍ତି । କିନ୍ତୁ ଏହି ଗାଁର ଲୋକେ ପକ୍ଷୀମାନଙ୍କ ସ୍ୱାର୍ଥ ପାଇଁ ନିଜର ଆବଶ୍ୟକତାକୁ ବଳି ଦେଇଥାନ୍ତି ।
Comments are closed.