ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ
ଅସଲି କର୍ତବ୍ୟ ପାସୋରି
ଦରକାରୀ କାମ ନ କରି
ବାରଂବାର ଗଲେ ବି ହାରି
ଦାୟିତ୍ୱ ରହୁନି କାହାରି
ଅଜାଗାରେ କରି ଗୁହାରି
ନିଜ କାମ ନିଜେ ନ କରି
ରହିଛୁଁ ଯେହେତୁ ନିଷ୍କ୍ରିୟ
ହେଉନି ମନେ ଜ୍ଞାନୋଦୟ
ସଂସ୍କାର ଶିଖାଇବା ପାଇଁ
କୌଣସି ଅନୁଷ୍ଠାନ ନାହିଁ
ପରିବାରରୁ ଶିଖେ ଶିଶୁ
ଏ କଥା ସବୁ ମନେ ପଶୁ
ମାଆବାପା ଓ ଗୁରୁଜନ
ଶିଶୁକୁ ଦେଇ ଏବେ ଧ୍ୟାନ
କରିଲେ କର୍ତବ୍ୟ ପାଳନ
ଭାଷାଟି ହେବନି ମଳିନ
ଯେ ଅଟେ ନିଜର ସଂତାନ
ଆକାର ହେଲେ ସୁଦ୍ଧା ସାନ
ସେ ଅଟେ ସଂପୂର୍ଣ ମଣିଷ
ଜନ୍ମତଃ ଅଟଇ ନିର୍ଦୋଷ
ବଡ଼ମାନଂକୁ ଶୁଣି, ଦେଖି
ପିଲାଟି ପାରେ ସବୁ ଶିଖି
ଉଚ୍ଚାରଣ ଓ ଆଚରଣ
ହୁଏ ସେ ସଂସ୍କୃତି-ସଂପନ୍ନ
ଶରୀର, ମସ୍ତିଷ୍କ ଉଭୟ
ଆଡ଼କୁ ଉପଯୋଗୀ ଲୟ
ଦେଲେ ହେବ ଉଚିତ ବୃଦ୍ଧି
ଏହା ହିଁ ଯଥାର୍ଥ ସମୃଦ୍ଧି
ସଂସ୍କାର ହୁଏନାହିଁ କିଣି
ହେଲେ ହେଁ ଖୁବ୍ ବେଶି ଧନୀ
ଶିଶୁକୁ ଦେଲେ ଭାବ, ପ୍ରୀତି
ତିଷ୍ଠି ରହିବ ତା ସଂସ୍କୃତି
ସଂଦେହାଚ୍ଛନ୍ନ ହେଲେ ମନ
ବିଶ୍ବାସଭଂଗ ଘନଘନ
ହୋଇଲେ ଅଲୋଡ଼ା ଅଯଥା
ଫେରିଆସେନି ପୂର୍ବାବସ୍ଥା
ନିଜର ଧାରଣାକୁ ଶ୍ରେଷ୍ଠ
ମଣିଲେ ଇଚ୍ଛା ହୁଏ ନଷ୍ଟ
ପୁଂଖାନୁପୁଂଖ ବିଶ୍ଳେଷଣ
କରଂତି ସତ୍ୟାଶ୍ରିତ ଜନ
Comments are closed.