Latest Odisha News

ଭାଷା ଭାଗବତ : ବ୍ୟଥାହତ ବ୍ୟକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ତର୍କରେ ହୋଇଲେ ବିଜୟୀ
ଚଳିଲେ ନିଜ ଅନୁଯାୟୀ
ସଂପର୍କ ହୁଏନାହିଁ ସ୍ଥାୟୀ
ତର୍କଶୀଳ ହିଁ ହୁଏ ଦାୟୀ

ବିଶ୍ବାସ-ନିର୍ଭର ସଂପର୍କ
ପାଇଁ ଅଲୋଡ଼ା ଯୁକ୍ତିତର୍କ
ଏତିକି ବୁଝିଗଲେ ଜଣେ
ନିଜ ଇଚ୍ଛାକୁ ତୁଚ୍ଛ ମଣେ

ସ୍ବେଚ୍ଛାଚାଳିତ ହୋଇ ବ୍ୟକ୍ତି
ହରାଏ ନିଜ ଅଂତର୍ଶକ୍ତି
କେବଳ ଆତ୍ମ-ଅଭିବ୍ୟକ୍ତି
ହୁଏ ତା ଅଟଳ ପ୍ରବୃତ୍ତି

ଉନ୍ନତ ହୁଏ ଯଦି ବ୍ୟକ୍ତି
ବିଶ୍ବ ବି କରଇ ଉନ୍ନତି
ବ୍ୟକ୍ତିର ଅବଦାନ ବଳେ
ବିଶ୍ବ ସୁରୁଖୁରୁରେ ଚଳେ

ବ୍ୟକ୍ତି ହେଲେ ବି ଜଣେ ଲୋକ
ବ୍ୟକ୍ତିତ୍ବ ସର୍ବଦା ଅନେକ
ଭୂମିକା କରିଲେ ପାଳନ
ଘଟଇ ବିଶ୍ବ ଉନ୍ନୟନ

ଅଳ୍ପ କେତେକ ଧନ ସଂଚି
ବିଳାସ ବ୍ୟସନରେ ବଂଚି
କରିଲେ ସୁଦ୍ଧା ଦେଶତ୍ୟାଗ
ଦେଶ ହୁଏନି ହତଭାଗ୍ୟ

ବ୍ୟକ୍ତିର ଆଗ୍ରହ ଓ ରୁଚି
ସେ ଯେବେ ନିଜେ ପାରେ ବାଛି
ସଂଭାଳେ ନିଜ ସ୍ବାୟତ୍ତତା
ବଳିଷ୍ଠ ହୁଏ ତା’ର ସତ୍ତା

ଦୋଷୀଂକ ସହିତ ନିର୍ଦୋଷ
ଏକାଠି କରିଲେ ବି ବାସ
କେହି କାହାକୁ ପ୍ରଭାବିତ
କରିବା ପାଇଁ ଅସମର୍ଥ

ବହୁତା-ଭରା ଏ ସଂସାର
ଏକତା ଖୋଜି ବାରଂବାର
ବ୍ୟକ୍ତି ହେଲେ ବି ବ୍ୟଥାହତ
ହୁଏନି ଯାହା ସମୁଚିତ

ବ୍ୟକ୍ତିର ସହନଶୀଳତା
ସହିତ ଦୃଢ଼ମୂଳ ଆସ୍ଥା
ଯୋଗାଇଥାଏ ଯେଉଁ ଶକ୍ତି
ସତରେ ତାହା ଅସରଂତି

Comments are closed.