ଶ୍ରୀନଗର: ଭାରତୀୟ ବାୟୁସେନା ଜମ୍ମୁ-କାଶ୍ନୀରର ଅବନ୍ତିପୋରା ବିମାନଘାଟିରେ ହାଲୁକା ଲଢୁଆ ବିମାନ ତେଜସ୍ ଏମକେ-1 ମୁତୟନ କରିଛି। ଚୀନ ଓ ପାକିସ୍ତାନର ହରକତ ଦୃଷ୍ଟିରୁ ଏହି ଅଞ୍ଚଳ ସର୍ବଦା ସମ୍ବେଦନଶୀଳ ରହିଆସିଛି। ପାକିସ୍ତାନ ସହ ସୀମାବର୍ତ୍ତୀ କେନ୍ଦ୍ରଶାସିତ ଅଞ୍ଚଳର ଉପତ୍ୟକାରେ ଉଡ଼ାଣ ଅଭିଜ୍ଞତା ହାସଲ କରିବାକୁ ଭାରତୀୟ ବାୟୁସେନା ଏହି ପଦକ୍ଷେପ ନେଇଛି। ଜମ୍ମୁ-କାଶ୍ନୀରର ଏହି ଅଞ୍ଚଳ ଗୁଡିକ ପାହାଡ଼ ଓ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ସେଠାରେ ତେଜସ୍ ପାଟ୍ରୋଲିଂ କରିବା ବେଶ୍ ସହଜ ହେବ।
ଭାରତୀୟ ବାୟୁ ସେନା ନିଜର ସ୍ୱଦେଶୀ ହାଲୁକା ଲଢୁଆ ବିମାନ (ଏଲସିଏ) ‘ତେଜସ୍’କୁ ଜମ୍ମୁ-କାଶ୍ମୀର ପଠାଇଛି। ଏହାଦ୍ୱାରା ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ। ଉପତ୍ୟକାରେ ଉଡ଼ାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଅଭିଜ୍ଞତା ହାସଲ କରିବାକୁ IAF ଏହାର ସ୍ୱଦେଶୀ ଲାଇଟ୍ କମ୍ବାଟ୍ ବିମାନ ନେବାକୁ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ବିମାନର ପାଇଲଟମାନେ ଉପତ୍ୟକାରେ ଉଡ଼ି ଅଭିଜ୍ଞତା ସଂଗ୍ରହ କରୁଛନ୍ତି।
ସୂଚନା ଥାଉକି ଭାରତୀୟ ବାୟୁସେନା ପାଖରେ ବର୍ତ୍ତମାନ ୩୧ଟି ତେଜସ୍ ମଲ୍ଟିରୋଲ ବିମାନ ରହିଛି। ପୂର୍ବରୁ ମଧ୍ୟ ବାୟୁସେନା ଜମ୍ମୁ-କାଶ୍ନୀର ଓ ଲଦାଖରେ ତେଜସ୍ ଉଡାଇଛି। ଆଗାମୀ ଭବିଷ୍ୟତରେ ବାୟୁସେନା ୮୩ଟି ତେଜସକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ବୁଝାମଣାପତ୍ର ମଧ୍ୟ ସରିଛି। ଆସନ୍ତା ବର୍ଷେ କିମ୍ବା ଦୁଇ ବର୍ଷ ଭିତରେ ଏସବୁ ବିମାନ ବାୟୁସେନାକୁ ମିଳିଯିବ।
ବିମାନରେ ଅଧିକରୁ ଅଧିକ ସାମର୍ଥ୍ୟ ଯୋଗ କରି ଭାରତୀୟ ବାୟୁସେନା ଏହି ମିଶନକୁ ଦୃଢ ସମର୍ଥନ କରୁଛି। ଏଥିରେ ସ୍ୱଦେଶୀ ଏଲସିଏ ତେଜସ୍ ଯୁଦ୍ଧ ବିମାନ ମଧ୍ୟ ଅନ୍ତର୍ଭୁକ୍ତ। ବାୟୁସେନା ଡିଆରଡିଓ ପକ୍ଷରୁ ବିକଶିତ କରାଯାଉଥିବା ଏଲସିଏ ମାର୍କ-୨ ଏବଂ ଏମସିଏ ଉପରେ ନଜର ରଖିଛି। ଏହି ବିମାନ ପାକିସ୍ତାନୀ ଏବଂ ଚୀନର JF-17 ଯୁଦ୍ଧବିମାନ ଅପେକ୍ଷା ଅଧିକ ଶକ୍ତିଶାଳୀ।
Comments are closed.