Latest Odisha News

ଗଳ୍ପ : ନୀଳ ଇନଲାଣ୍ଡ ଲେଟର

ଲକ୍ଷ୍ମୀପ୍ରିୟା ଓଝା 

ବାପା ନୀଳ ଇନଲାଣ୍ଡ ଲେଟରଟିଏ ଧରି ଠିଆ ହେଇଥିଲେ ମଝି ଦୁଆରେ । ଜେଜେ ବସିଥିଲେ ପିଣ୍ଡ|ରେ ତାଙ୍କ ନିର୍ଦ୍ଧାରିତ କାଠ ଚୌକି ଉପରେ । ମା ସେଇଠି ତଳେ । ବୋଉ ରୋଷେଇଘର ଦୁଆର ମୁହଁରେ ଆଉ ଦେଈ ଠିଆ ହେଇଥିଲେ ତାଙ୍କ ନୁଆଁଣିଆ ଚାଳ ଘର କବାଟକୁ ଆଉଜି । ମୁଁ ସେଇ ପିଣ୍ଡ| ତଳେ ଥିଲି । ଯୋଗକୁ ସେଦିନ ପେଟ କାଟୁଥିଲା ବୋଲି ମୁଁ ସ୍କୁଲ ଯାଇନଥିଲି । ବାପା ଏମିତିରେ ରୋଜ ଦୋକାନ ବନ୍ଦ କରି ଆମ ଖେଳ ଛୁଟି ବେଳେହିଁ ଘରକୁ ଆସନ୍ତି ଖାଇବାକୁ । ଆଜି ଜଲ୍ଦି ଆସିଛନ୍ତି ଏଇ ନୀଳ ଇନଲାଣ୍ଡଟି ନେଇ । ଚିଠି ଆସିଛି ସାନ ଜେଜେଙ୍କର । ମାନେ ଦେଈଙ୍କ ବରର ।

ଦେଈଙ୍କ ବାହାଘରକୁ ଜମା ଦି ମାସ ହେଇଥିଲା ସାନ ଜେଜେ ଗଲେ ଖଡ଼ଗ୍ପୁର କାମ କରିବାକୁ । ତାପରେ ଥରେ ଆସିଥିଲେ ବିଶ୍ୱ ଦାଦାଙ୍କର ଜନ୍ମ ପରେ ମାସଟିଏ ପାଇଁ । ତାପରେ ଯାଇଛନ୍ତି ତ ଯାଇଛନ୍ତି ଚାଳିଶ ବର୍ଷ ଭିତରେ ଆଉ ଫେରି ନାହାଁନ୍ତି କେବେ । ଏମିତିକି ତାଙ୍କ ସାନପୁଅ ଶଶୀ ଦାଦାଙ୍କର ଜନ୍ମ ହେବା ବି ସେ ଜାଣିନାହାଁନ୍ତି ବୋଲି ବୋଉ କହୁଥିଲା । ଆଉ ଆଜି ଏ ଚିଠି । ଅବଶ୍ୟ ଏ ତାଙ୍କର ପ୍ରଥମ ଚିଠି ନୁହେଁ । ଆଉ ଥରେ ବି ସେ ଲେଖିଥିଲେ ଚିଠି ଜେଜେଙ୍କୁ ।ଲେଖିଥିଲେ, ” ଏଠି ଏକ ସଂସାର ଗଢ଼ିଛି ମୁଁ । ମୋତେ ଭଲ ଲାଗୁନି ସେ ବନ୍ଧନ । ମୁକ୍ତ ହେବାକୁ ଚାହେଁ ।” ଚିଠି ଶୁଣି ଦେଈ କୁଆଡେ କାନ୍ଦିଥିଲେ ଖୁବ ସେଦିନ । ଜେଜେ ମା କୋଳେଇ ନେଇଥିଲା । ଏ ଘରର ବୋହୂ ନୁହେଁ ଝିଅ ହେଇ ରହିବାକୁ ଜେଜେ ସେଦିନ ଆଶ୍ୱାସନା ଦେଇଥିଲେ ଦେଈଙ୍କୁ । ଯଦିଓ ସାନ ଜେଜେ ଜେଜେଙ୍କର ରକ୍ତର ଭାଇ ନଥିଲେ | ଆଉ ଯୋଉଁ ଦିନ ବୋଉ ବାହାହେଇ ଆସିଥିଲା ସେଦିନ ଦେଈ ବୋଉ ହାତକୁ ନିର୍ମାଲ୍ୟ ଟେକିଦେଇ କହିଥିଲେ, ” ଆଜିଠୁ ମୁଁ ତୋର ବଡ଼ଝିଅ । ଖୁଡି ଶାଶୁ ନୁହେଁ ।” ଏକଥା ବି ବୋଉ ହିଁ ମୋତେ କହିଛି । ଆମେ ଜନ୍ମ ହେଲା ପରେ ସେଇ ସୂତ୍ରରେ ସେ ହେଇଗଲେ ଆମର ବଡ଼ ଭଉଣୀ । ବାପାଙ୍କର ଯାବତୀୟ ବଦରାଗି ଗୁଣରୁ ସେ ହିଁ ବଞ୍ଚେଇଛନ୍ତି ବୋଉକୁ । ଆମକୁ ବୁଲିବାକୁ ଗଲାବେଳକୁ ସେ ହିଁ ଆମର ସାଥି ଆଉ ଆମେ ତାଙ୍କର । ହସ ମଜ୍ଜା, ଥଟ୍ଟା ତାମସା କରି ଆମ ଛୋଟ ଛୋଟ ଦୁଃଖକୁ ଫୁ କରି ଉଡେଇ ଦିଅନ୍ତି ସେ । ହଁ ବେଳେ ବେଳେ ତାଙ୍କୁ ରାଗିବା ବି ଦେଖିଛୁ ଆମେ । ଯେବେ ତାଙ୍କର ଜେଜେଙ୍କ କଥା ମନେପଡିଯାଏ ବା କେହି ପଚାରିଦିଏ ଦେଈ ଅସମ୍ଭାଳ ହେଇ ପଡନ୍ତି । ଜାଣିଥିବା ସବୁ ଗାଳି ନସରିଲା ପର୍ଯ୍ୟନ୍ତ ସେ ଶୋଧି ଚାଲିନ୍ତି ଜେଜେଙ୍କୁ ।

ଦେଈ ଖୁବ ସୁନ୍ଦରୀ । ଗୋରୀ ବି। ପିନ୍ଧନ୍ତି ଏକଦମ ପରିସ୍କାର ସୂତା ଶାଢ଼ୀ । ମୁଣ୍ଡରେ, ସିନଥିରେ ସିନ୍ଦୁର । ହାତରେ ମେଞ୍ଚାଏ ମେଞ୍ଚାଏ ନାଲି ପାଣି ଚୁଡ଼ି । ଗୋଡ଼ରେ ଗୋଡ଼ ମୁଦି । ସବୁ ଓଷା ବାର କରନ୍ତି । ମନ୍ଦିର ଯାନ୍ତି । ମାଣବସା ଗୁରୁବାର ଦିନ ତ ସାରା ଘର, ଅଗଣା, ଦାଣ୍ଡ ପିଣ୍ଡ|, ଖଳା ସବୁଆଡ଼ ଭର୍ତ୍ତି କରିଦିଅନ୍ତି ସୁନ୍ଦର ସୁନ୍ଦର ଝୋଟିରେ । ଭୋରୁ ଆଗ ତାଙ୍କରି ଘରୁ ହୁଳହୁଳି ଶୁଭେ । ସେ ପୁରା ଅହ୍ୟ ସୁଲକ୍ଷଣୀ ସଧବା । ଲୋକ କିନ୍ତୁ କୁହନ୍ତି କେବଳ “ନାଁ” କୁ । ବାରବର୍ଷ ଯାଏ ସ୍ୱାମୀ ଘରକୁ ନ ଆସିଲେ ବିଧବାରେ ଗଣା ହୁଏ ସ୍ତ୍ରୀ ଲୋକଟି । ଦେଖେଇ ଦେଖଇ ଯିଏ ଯେତେ ଏ କଥା କହିଲେ ବି ଦେଈଙ୍କର ସେ ଆଡକୁ ନିଘା ନଥାଏ । କାଚରା ଆସିଲେ ପୁରୁଣା ବଦଳେଇ ଆଗ ପିନ୍ଧନ୍ତି ବାଛି ବାଛି ଦି ମୁଠା ଚୁଡ଼ି । ସେ ଚୁଡ଼ି ହେଉ କି ଶାଢ଼ୀ ନୂଆ ପିନ୍ଧିଲା ପରେ ବାରମ୍ବାର ପଚାରନ୍ତି ଭଲ ଦିଶୁଛି କି ନାହିଁ । ନାଲିରେ ତାଙ୍କର ଶରଧା ବେଶୀ । ସେଇ ଦେଈଙ୍କ ପାଖକୁ ନୀଳ ଇନଲାଣ୍ଡ ଲେଟରରେ ଚିଠିଟିଏ ଆସିଛି ତାଙ୍କରି ଫେରାର ସ୍ୱାମୀଙ୍କର । ଦୀର୍ଘ ଚାଳିଶ ବର୍ଷ ପରେ । ବାପା ପଢୁଛନ୍ତି ଚିଠି ।

ପ୍ରାଣପ୍ରିୟା କୁମୁଦ,

ଶ୍ରଦ୍ଧା ନେବୁ । ଭାଇ ଭାଉଜଙ୍କୁ ପ୍ରଣାମ । ଆଶା ଭଲରେ ଥିବୁ । ଭାଇ ଭାଉଜ ତୋତେ ଭଲରେ ରଖିଥିବେ ନିଶ୍ଚୟ । ସଦାନନ୍ଦ ବାହାହେଇ ତା’ର ଛୁଆ ପିଲା ହେବେଣି । ଆମ ବିଶ୍ୱମ୍ଭର ବି ତ ବାହାହେଇ ସାରିବଣି । ବୋଉ ଚାଲିଯିବା ଖବର ପାଇଥିଲି । ଯିବା ପାଇଁ ସାହସ ଯୁଟାଇ ପାରିଲିନି । ମୋ ଦେହ ଭଲ ରହୁନି । ତୁମେମାନେ ଏବେ ଭାରି ମନେପଡ଼ୁଛ । ଯଦି କିଛି ପଇସା ପଠାନ୍ତୁ ମୁଁ ଘରକୁ ଯାଆନ୍ତି ।
ଇତି
ତୋର ହତଭାଗ୍ୟ ସ୍ୱାମୀ

ଚିଠି ପଢି ସରିଲା ବେଳକୁ ସମସ୍ତେ ଚୁପ । କିଛି ସମୟ ନୀରବତା । ତାପରେ ପ୍ରଥମେ ଜେଜେ ମା ସୁ ସୁ ହେଇ କାନ୍ଦିଲା ପାଟିରେ ଲୁଗା କାନି ଦେଇ । ଜେଜେ ବିରକ୍ତ ହେଇ କହିଲେ, ” ରହ ମ , ଗୋଟେ ସୁଆଙ୍ଗ କାଢିଲା । ଏ ମାଇକିନା ଜାତି ସେଇଆ । ତାପରେ ପଚାରିଲେ ବାପାଙ୍କୁ, ” ପଇସା ପଠାଇବାକୁ ଠିକଣା ଲେଖା ଅଛି ?” ବାପା ହଁ କହିଲେ । ଜେଜେ କହିଲେ, ” ହଉ କିଛି ପଇସା ପଠେଇ ଦେ । ଆସୁ ଶଳା । ତା’ର ଦିନେ କୁ ମୋର ଦିନେ ।” ଏଯାଏଁ ଚୁପ ଥିବା ଦେଈ କହି ଉଠିଲେ, “କାହିଁକି ସେ ଏଠିକୁ ଆସିବ ଆଉ ? ନା’ ଥାଉ ପଇସା ପଠାଅ ନି । ” ତା ପରେ ଚାଲିଗଲେ ଘର ଭିତରକୁ ।

ମୋତେ ଭାରି ରାଗ ମାଡିଲା । କ’ଣ ଅସୁବିଧା ହେଇଥାନ୍ତା ଯେ ବାପା ପଇସା ପଠେଇଥିଲେ । ମୁଁ ଟିକେ ଦେଖିଥାନ୍ତି ସାନ ଜେଜେ କେମିତି ଦିଶୁଛନ୍ତି । ଧେତ ଦେଈ ସବୁ ବିଗାଡି ଦେଲେ । ବାପା ତ ପୁଣି ରୋଜ ରୋଜ ଏତେ ଏତେ ଟଙ୍କାର ମାଛ ଆଣୁଛନ୍ତି । “ଆମେ ଗୋଟାଏ ଦିନ, ନାଇଁ ଗୋଟାଏ ସପ୍ତା ମାଛ ନ ଖାଇଲେ ନାହିଁ । ବାପା ପଇସା ପଠାନ୍ତୁ ।” ମୋ ପାଟିରୁ ଆପେ ବାହାରିଗଲା । ବୋଉ ଦାନ୍ତ କଡ଼ମଡ଼ କରି କହିଲା, ” ବଡ଼ଙ୍କ କଥାରେ କଥା କହିବାରେ ଭାରି ସାହସ ହେଇଗଲାଣି । ଯାଉଛୁ ଏଠୁ ନା ଦେଖିବୁ ।”

ମୁଁ ଚୁପ ଚାପ ଚାଲିଆସିଲି ସେଠୁ । ଦି ପହରେ ଗାଧେଇ ପାଧେଇ ଖାଇ ପି ଆସି ପୋଖରୀ କୂଳରେ ବସିଥିଲି । ମନ ଭାରି ଦୁଃଖ । ବଡ଼ମାନେ ଛୁଆମାନଙ୍କ ପରି କାହିଁ ଭାବି ପାରନ୍ତିନି ଯେ ! ଦେଈ ଆସି ବସିଲେ ମୋ ପାଖରେ । ଅନେକ ସମୟ ଯାଏ ସେ ବି ନୀରବ । ମୁଁ ବି । ମୋତେ ତ ରାଗ ଚିଡୁଥିଲା ବହୁତ । ଦେଈ ମୋ ହାତକୁ ଧରିଲେ । ମୁଁ ହାତ ଟାଣିନେଲି | । ତାପରେ ପୁଣି ଥରେ ସେ ମୋ ହାତକୁ ଆଉଁସିଦେଇ ନେଇ ତାଙ୍କ କୋଳରେ ରଖିଲେ । ଆମେ ଅନେକ ସମୟ ଏମିତି ବସି ରହିଲୁ ଚୁପଚାପ । ଦେଈ ପ୍ରଥମେ ଆରମ୍ଭ କଲେ, ” ବାପା ଏବେ ଶୋଇଥିବ । ତା ସାର୍ଟ ପକେଟରେ ଚିଠିଟା ଥିବ । ଯା ଚୁପ କିନା ନେଇ ଆସିବୁ । ଦେଖେ, ସେଇ ଅକ୍ଷର ନା ନାହିଁ ।” ମୁଁ ଦେଈଙ୍କ ମୁହଁକୁ ଅନେଇଲି । ସେ ମୁହଁ ପୋତି ତାଙ୍କ ବାଁ ହାତରେ ଡାହାଣ ହାତ ଚୁଡ଼ିକୁ ଧୀରେ ଧୀରେ ସାଉଁଳେଉ ଥିଲେ । ଡାହାଣ ହାତରେ ଧରିଥିଲେ ସାନ ଜେଜେ ଦେଇଥିବା ସେଇ ଚାଳିଶ ବର୍ଷ ତଳର ନୀଳ ଇନଲାଣ୍ଡ ଲେଟର।

ବରୋଦା, ଗୁଜରାଟ
ଫୋନ ୭୪୯୦୯୯୬୮୬୫

Comments are closed.