ରାୟପୁର: ଆଜିକାଲି ସରକାରୀ ସ୍କୁଲଗୁଡ଼ିକରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପାଇଁ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ । ହେଲେ ଏମିତି ଜଣେ ଶିକ୍ଷୟିତ୍ରୀ ଅଛନ୍ତି, ଯିଏ ଶିକ୍ଷକଙ୍କ ୟୁନିଫର୍ମ ନ ପିନ୍ଧି ପିଲାଙ୍କ ୟୁନିଫର୍ମରେ ଆସିଥାନ୍ତି । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ ।
ଛତିଶଗଡର ରାଜଧାନୀ ରାୟପୁରରେ ରହିଛି ରାମନଗର ସରକାରୀ ଗୋକୁଲ୍ରାମ ବର୍ମା ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟ ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି । ଚର୍ଚ୍ଚାର କାରଣ ହେଉଛି ଏଠାରେ ଥିବା ଜାହ୍ନବୀ ୟାଦୁ ନାମକ ଜଣେ ଶିକ୍ଷୟିତ୍ରୀଙ୍କୁ ନେଇ । ଯିଏ ପିଲାମାନଙ୍କୁ ଅନୁଶାସନ କରିବାର ଏକ ନୂତନ ଏବଂ ଅନନ୍ୟ ଉପାୟ ଆପଣାଇଛନ୍ତି । ଏହି ଶିକ୍ଷୟିତ୍ରୀ ନିଜେ ସ୍କୁଲ୍ ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସନ୍ତି । ଏହି କାରଣରୁ, ଯେଉଁ ପିଲାମାନେ ବିନା ପୋଷାକରେ ଆସୁଥିଲେ ସେମାନେ ମଧ୍ୟ ୟୁନିଫର୍ମରେ ଆସିବା ଆରମ୍ଭ କରି ଦେଇଛନ୍ତି ।
ଶିକ୍ଷୟିତ୍ରୀ ଜାହ୍ନବୀ ପ୍ରତ୍ୟେକ ଦିନ ପିଲାମାନଙ୍କ ପରି ୟୁନିଫର୍ମରେ ଆସନ୍ତି, ଯାହାଫଳରେ ପିଲାମାନେ ଖୁସିରେ ତାଙ୍କ ସହିତ ମିଶିବା ସହ ପଢିବାକୁ ଆଗ୍ରହ ଦେଖାଇଥାନ୍ତି । ନିୟମିତ ୟୁନିଫର୍ମରେ ଆସୁ ନ ଥିବା ପିଲାମାନେ ଏବେ ୟୁନିଫର୍ମରେ ଆସୁଛନ୍ତି । ଜାହ୍ନବୀ ପିଲାମାନଙ୍କୁ ନୃତ୍ୟ ଏବଂ ସଙ୍ଗୀତର ମଧ୍ୟ ତାଲିମ ଦେଇଥାନ୍ତି । ପିଲାମାନେ ଅନୁଭବ କରିଛନ୍ତି ଯେ, ଶିକ୍ଷକ ସେମାନଙ୍କର ଭଲ ବନ୍ଧୁ ଏବଂ ମାର୍ଗଦର୍ଶକ ଅଟନ୍ତି ।
ଶିକ୍ଷୟିତ୍ରୀ ଜାହ୍ନବୀ କହିଛନ୍ତି ଯେ, ପିଲାମାନଙ୍କୁ ଉନ୍ନତ ଶିକ୍ଷା ଦେବା ଏବଂ ସେମାନଙ୍କ ମଧ୍ୟରେ ଅନୁଶାସନର ଭାବନା ସୃଷ୍ଟି କରିବା ଲକ୍ଷ୍ୟରେ ମୁଁ ପିଲାମାନଙ୍କ ପରି ସ୍କୁଲ ୟୁନିଫର୍ମ ଆସେ । ଶିକ୍ଷକମାନେ ସ୍କୁଲ ପିଲାମାନଙ୍କ ପାଇଁ ପ୍ରେରଣାର ଉତ୍ସ । ପିଲାମାନେ ମୋ ସହିତ ସାଙ୍ଗ ପରି ମଧ୍ୟ ମିଶୁଛନ୍ତି । ମୁଁ ଯେତେବେଳେ ପ୍ରଥମେ ୟୁନିଫର୍ମ ପିନ୍ଧି ବିଦ୍ୟାଳୟକୁ ଆସିଲି ଅନ୍ୟ ଶିକ୍ଷକମାନେ ମୋତେ ଚିହ୍ନି ପାରି ନ ଥିଲେ । ଏବେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ମୋତେ ପ୍ରଶଂସା କରୁଛନ୍ତି ।
Comments are closed.