Latest Odisha News

BREAKING NEWS

ବଲାଙ୍ଗୀରରେ ଅଢେଇ ଲକ୍ଷ ଟଙ୍କାରେ ନବଜାତ ବିକ୍ରି ଘଟଣା, ଛତିଶଗଡରୁ ଉଦ୍ଧାର

ବଲାଙ୍ଗୀର: ସପ୍ତାହକ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ଅଢ଼େଇ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ୫ ଦିନର ଶିଶୁପୁତ୍ରକୁ ଶନିବାର ଛତିଶଗଡ଼ରୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତଦନ୍ତ ପରେ ଛତିଶଗଡ଼ର ରାୟଗଡ଼ରେ ଶିଶୁକୁ ପୁଲିସ ଠାବ କରିଛି। ସେମାନେ ଚାଇଲ୍ଡ ହେଲ୍ପ ଲାଇନର ସଦସ୍ୟଙ୍କ ସହ ରାୟଗଡ଼ ଯାଇ ଶିଶୁଟିକୁ ଉଦ୍ଧାର କରିଛନ୍ତି।

ସେଠାରେ ପହଞ୍ଚିବା ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ ଡାକ୍ତର। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ସ୍ୱତନ୍ତ୍ର ଶିଶୁ ଯତ୍ନ ୟୁନିଟରେ ରଖାଯାଇଛି।

ଯେହେତୁ ଶିଶୁଟିର ବାପା ପୂର୍ବରୁ ଗିରଫ ହୋଇସାରିଛନ୍ତି ଏବଂ ତା’ର ମା’ ବିକ୍ରି ବିଷୟରେ ଅଜ୍ଞତା ପ୍ରକାଶ କରିଥିଲେ, ତେଣୁ ଆମେ ଶିଶୁଟିକୁ ସେମାନଙ୍କୁ ହସ୍ତାନ୍ତର କରି ନଥିଲୁ। ପୁଲିସ ଓ କୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଶିଶୁଟିକୁ ଚାଇଲ୍ଡ କେୟାର ୟୁନିଟରେ ରଖାଯାଇଛି ବୋଲି ସେ କହିଛନ୍ତି।

ଏହି ଘଟଣାରେ ଗତ ଅଗଷ୍ଟ ୫ ତାରିଖରେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଝାଙ୍କରପଡା ଗ୍ରାମରୁ ଶିଶୁଟିର ବାପା ସନ୍ତୋଷ ପଟେଲ ଓ ଦଲାଲ ସେକ୍ ରମାଦାନଙ୍କୁ ଗିରଫ କରିଥିଲା ପୋଲିସ। ଦୁହେଁ ଶିଶୁଟିକୁ କଳାହାଣ୍ଡିର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ।

ଟିଟିଲାଗଡ଼ ଡାକ୍ତରଖାନାରେ ସନ୍ତୋଷ ଓ ତାଙ୍କ ପତ୍ନୀ ପୁଷ୍ପା ପଟେଲଙ୍କ ଚତୁର୍ଥ ସନ୍ତାନ ଜନ୍ମ ହୋଇଛି। ଅତ୍ୟଧିକ ଦାରିଦ୍ର୍ୟ କାରଣରୁ ସନ୍ତୋଷ ତାଙ୍କ ପଡ଼ୋଶୀ ରମାଦାନଙ୍କ ସହାୟତାରେ ତାଙ୍କ ପାଞ୍ଚ ଦିନର ଶିଶୁପୁତ୍ରକୁ କଳାହାଣ୍ଡି ଜିଲ୍ଲାର ରାଜା ନାମକ ଜଣେ ବ୍ୟକ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ସେପଟେ ରାଜାକୁ ଗିରଫ କରିଛି ପୋଲିସ। ଟିଟିଲାଗଡ଼ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Comments are closed.