ଭୁବନେଶ୍ବର: ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ନକଲି ଶିକ୍ଷକ । ରାଜ୍ୟରେ ନକଲି ଶିକ୍ଷକ ପ୍ରସଙ୍ଗ ଥମିବାର ନାଁ ଧରୁନି । ଗଣଶିକ୍ଷା ବିଭାଗ ସ୍କାନରରେ ଶତାଧିକ ଶିକ୍ଷକ ଥିବାବେଳେ ସମ୍ପୃକ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣପତ୍ର କଡାକଡି ଭାବେ ଯାଞ୍ଚ କରିବାକୁ ୩୦ଟି ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ରହିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ଶିକ୍ଷକମାନେ ଡିଗ୍ରୀ ହାସଲ କରିଛନ୍ତି । ସେ ସମସ୍ତ ଶିକ୍ଷକଙ୍କ ଯୋଗ୍ୟତା ପ୍ରମାଣ ପତ୍ର ଠିକ୍ କି ନୁହେଁ , ତାକୁ ଭଲ ଭାବେ ଯାଞ୍ଚ କରିବାକୁ ବିଭାଗ କହିଛି ।
ରାଜ୍ୟରେ ଏବେ ମାଳ ମାଳ ନକଲି ଶିକ୍ଷକ ଧରାପଡୁଛନ୍ତି । କିଏ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ ହାତେଇଛି ତ ଆଉ କିଏ ଓଟିଇଟି, ମାଟ୍ରିକ୍ ଓ ଯୁକ୍ତ ୨ ସାର୍ଟିଫିକେଟର ଜାଲିଆତି କରି ଦୀର୍ଘବର୍ଷ ହେବ ସରକାରୀ ଚାକିରୀ ପାଇଛନ୍ତି । ଅନେକ ନକଲି ଶିକ୍ଷକ ମଧ୍ୟ ଚାକିରୀରୁ ଅବସର ନେଇ ସାରିଲେଣି ।
ତେବେ ବିଭାଗ ପକ୍ଷରୁ ୧୨୦ରୁ ଉର୍ଦ୍ଧ୍ବ ଶିକ୍ଷକଙ୍କ ତାଲିକା ପ୍ରକାଶ କରାଯିବା ସହ ସେମାନଙ୍କ ମାର୍କସିଟ୍, ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ତନ୍ନ ତନ୍ନ କରି ଯାଞ୍ଚ କରାଯିବ । ଏ ନେଇ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସେମାନଙ୍କ ନାଁରେ ଥାନାରେ ମାମଲା ଦାୟର କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଯାହାକୁ ନେଇ ଏବେ ନକଲି ଶିକ୍ଷକଙ୍କ ମନରେ ଏକପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି ।
Comments are closed.