Latest Odisha News

BREAKING NEWS

ହାଇସ୍କୁଲରେ ନିଯୁକ୍ତ ହେବେ ୪ ହଜାରରୁ ଅଧିକ ଅତିଥି ଶିକ୍ଷକ, ଖୁବଶୀଘ୍ର ନିଯୁକ୍ତି ଦେବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡିଛି। ଆବଶ୍ୟକତା ଅନୁସାରେ ଶିକ୍ଷକ ନାହାଁନ୍ତି। ଫଳରେ ପାଠପଢାରେ ଅସୁବିଧା ହେଉଛି। ତେଣୁ ଶିକ୍ଷକ ପଦବୀ ପୂରଣ ନେଇ ବିକଳ୍ପ ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ। ରାଜ୍ୟରେ ୪ ହଜାର ୪୦୩ ଅତିଥି ଶିକ୍ଷକ ନିଯୁକ୍ତି ହେବେ। ଅତିଥି ଶିକ୍ଷକଙ୍କ ଭରସାରେ ଚଳିତ ବର୍ଷର ପାଠପଢ଼ା ହେବ।

ରାଜ୍ୟରେ ନୂଆ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ବିଦ୍ୟାଳୟରେ ଜଣେ କି ଦୁଇ ଜଣ ଶିକ୍ଷକରେ ପାଠପଢା ହେଉଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଭାବନା ବଢୁଥିବା ବେଳେ ଏପରି ସ୍ଥିତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେଣୁ ଶିକ୍ଷକ ପଦବୀ ପୂରଣ ନେଇ ଏପରି ବିକଳ୍ପ ବ୍ୟବସ୍ଥା କରିଛି ବିଭାଗ।

୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ୪,୪୦୩ ଅତିଥି ଶିକ୍ଷକ ନିଯୁକ୍ତି କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ହୋଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ବାରା ଅତିଥି ଶିକ୍ଷକ ନିଯୁକ୍ତ କରାଯିବ। ଖାଲିଥିବା ପଦରେ ପ୍ରାଥମିକତା ଭିତ୍ତିରେ ଏହି ଶିକ୍ଷକ ନିଯୁକ୍ତି ହେବେ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଓ ନୂଆ ଜିଆଇଏ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦିଆଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁସାରେ, ସରକାରୀ ବିଦ୍ୟାଳୟ ଗୁଡ଼ିକରେ ୧୮୦୬, ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୧୧୫୩ ଏବଂ ନୂତନ ଗ୍ରାଣ୍ଟ୍ ଇନ୍ ଏଡ୍‌ ବିଦ୍ୟାଳୟ ଗୁଡ଼ିକରେ ୧୪୪୪ ଜଣ ଅତିଥି ଶିକ୍ଷକଙ୍କ ନିଯୁକ୍ତି ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି। ଜିଲ୍ଲା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ତାଲିକା ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ନିଯୁକ୍ତି କରିବେ। ଏସମ୍ପର୍କିତ ତଥ୍ୟ ମାଧ୍ୟମିକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯିବ। ଯେଉଁ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡିଛି ସେହି ସ୍କୁଲକୁ ଅଗ୍ରାଧିକାର ଦିଆଯିବ। ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଅତିଥି ଶିକ୍ଷକ ନିଯୁକ୍ତ ହେବେ।

Leave A Reply

Your email address will not be published.