ଭୁବନେଶ୍ୱର: ବର୍ଷାରେ ଏଥର ଧୋଇଯିବ ସ୍ୱାଧୀନତା ଦିବସ। ଆସନ୍ତାକାଲିଠୁ ଚାରି ଦିନ ଜାରି ରହିବ ବର୍ଷା। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଉତ୍ତର ଓଡ଼ିଶା, ଛତିଶଗଡ ଓ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏହାର ପ୍ରଭାବରେ ରାଜ୍ୟରେ ଚାରି ଦିନ ବର୍ଷା ହେବ ବୋଲି ଆକଳନ ହୋଇଛି।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଚର ଶରତ ସାହୁ କହିଛନ୍ତି, ରାଜ୍ୟରେ ୧୫ ତାରିଖରୁ ବର୍ଷାର ପରିମାଣ ବଢ଼ିବ। ୧୬ ଓ ୧୭ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ତାରିଖ ଯାଏଁ ମୋଟାମୋଟି ଭାବେ ବର୍ଷା ହେବ। ଏହି ସମୟରେ ଆଭ୍ୟନ୍ତରୀଣ ଓଡି଼ଶା, ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସୂଚନା ରହିଥିବା ବେଳେ ଉପକୂଳ ଓଡିଶାରେ ମଧ୍ୟ ବର୍ଷା ହେବ ବୋଲି ସୂଚନା ରହିଛି।
ସେପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ପୁରୀ ଓ କନ୍ଧମାଳରେ ଅଧିକ ବର୍ଷା ହେବ ବୋଲି ସୂଚନା ରହିଛି।
ଅନ୍ୟପଟେ ଜୁନ୍ ୧ ତାରିଖରୁ ଅଗଷ୍ଟ ୧୩ ତାରିଖ ଯାଏ ହୋଇଥିବା ମୌସୁମୀ ବର୍ଷାର ପରିମାଣ ୬୫୭.୭ ମିଲିମିଟର ରହିଥିବା ବେଳେ ଏହାର ସାଧାରଣ ମୂଲ୍ୟ ୭୧୩.୩ ମିଲିମିଟର ରହିଛି। ଏହି ସମୟ ମଧ୍ୟରେ ୧୦ଟି ଜିଲ୍ଲାରେ ଅଭାବୀ ବର୍ଷା ରହିଥିବା ବେଳେ, ୨ଟି ଜିଲ୍ଲାରେ ଅଧିକ ଏବଂ ବାକି ୧୮ଟି ଜିଲ୍ଲା ସ୍ୱାଭାବିକ ଶ୍ରେଣୀରେ ରହିଛି।
Comments are closed.