Latest Odisha News

BREAKING NEWS

କବିତା : ଠିକଣା

ମାନସ ରଞ୍ଜନ ମହାପାତ୍ର

ଆମେ ସବୁ ହଜିଯାଇଥିବା ଲୋକ
ଠିକଣା ହଜେଇଥିବା ପଳାତକ
ଆମେ ସବୁ ଆହୁଲା ହଜେଇ
ନାଆ ଖୋଜୁଥିବା ନାବିକ
ମିଶିଯିବା ଆଗରୁ ମହାକାଳର ସ୍ରୋତରେ
ଆସ
ଆମେ ଥରେ ଦେଖାହେବା ଏଇଠି ଏକାଠି
ପରିଚୟକୁ ଖୋଜିବା
ଅଚିହ୍ନା ଏଇ ସହରରେ ।

କେତେ ଶତାବ୍ଦୀ ବିତିଗଲାଣି କହିଲ
ବିଭିନ୍ନ ପୃଥିବୀରେ ଅନନ୍ତ ଯାତ୍ରାରେ ଆମର !
କିଏ କେତେବେଳେ ହଜିଗଲା କେଉଁଠି
ହିସାବ ରଖିନି ଇତିହାସ
କେତେ ମୁକୁଟ ପାଲଟି ଯାଇଛି ପାଉଁଶ
ରଙ୍ଗୀନ୍ ପୋଷାକ ସବୁ
ଚରିଗଲେଣି ପୋକଜୋକ
ଭୁଷୁଡି଼ ପଡ଼ିଲାଣି ମହଲ
କେତେ ମହାରାଜା, ନବାବ,
ବାଦଶାହାଙ୍କ କଙ୍କାଳ
ଧୋଇ ନେଲାଣି ସମୁଦ୍ର।

କାହିଁକି ତେବେ ବ୍ୟସ୍ତ ଏତେ
ଥରେ ଏକୁଟିଆ ଜହ୍ନରାତିରେ
ନିଜ ନିଜ ଠିକଣା ଖୋଜି
ନିଖୋଜ ହେଇଯିବା ଚାଲ !

୦୦୦୦
୯୮୯୧୯୪୬୧୭୮

Comments are closed.