Latest Odisha News

BREAKING NEWS

ରୱାଣ୍ଡାରେ ଭାରତୀୟ ଗୋଧନ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ଗସ୍ତ କାଳରେ ଆଜି ରୱେରୁ ଆଦର୍ଶ ଗ୍ରାମରେ ସେଠାକାର ଗ୍ରାମବାସୀମାନଙ୍କୁ ୨୦୦ ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ରୱାଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ ପ୍ରଦାନ କରାଯାଇଛି । ଏଥିଲାଗି ରୱେରୁ ଗ୍ରାମରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେଠାକାର ରାଷ୍ଟ୍ରପତି ପଲ କାଗାମେ ଯୋଗଦେଇଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଗିରିଙ୍କା କାର୍ଯ୍ୟକ୍ରମ ଲାଗି ରାଷ୍ଟ୍ରପତି ପଲ କାଗାମେଙ୍କ ପ୍ରୟାସକୁ ଉଚ୍ଚପ୍ରଶଂସା କରିଥିଲେ । ଭାରତୀୟମାନେ ମଧ୍ୟ ରୱାଣ୍ଡା ଜନସାଧାରଣଙ୍କ ଗୋ-ଧନ ପ୍ରତି ସ୍ନେହ ଓ ମମତା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଏହି ସୁଦୂର ଆଫ୍ରିକୀୟ ଦେଶରେ ଗୋ-ଧନକୁ ଗ୍ରାମୀଣ ଆର୍ଥିକ ସଶକ୍ତିକରଣର ଏକ ପ୍ରମୁଖ ମାଧ୍ୟମ ଭାବେ ଗ୍ରହଣ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ବେଶ ଆନନ୍ଦ ପ୍ରକାଶ କରିଥିଲେ । ଉଭୟ ଦେଶର ଗ୍ରାମ୍ୟ ଜୀବନରେ ଗୋସମ୍ପଦ ପ୍ରତି ସ୍ନେହ ଏବଂ ଅନେକ କ୍ଷେତ୍ରରେ ସାମଞ୍ଜସ୍ୟ ନେଇ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଗିରିଙ୍କା କାର୍ଯ୍ୟକ୍ରମ ରୱାଣ୍ଡାର ଗ୍ରାମ୍ୟ ଜୀବନକୁ ପରିବର୍ତନ କରିବା ଦିଗରେ ବେଶ ସହାୟକ ହେବ ବୋଲି ସେ କହିଥିଲେ ।

ଗିରିଙ୍କା ଶବ୍ଦର ଆଫ୍ରିକୀୟ ଅର୍ଥ ହେଉଛି “ଆପଣ ଏକ ଗାଈ ରଖିପାରିବେ କି” । ରୱାଣ୍ଡା ସଂସ୍କୃତିରେ ଜଣେ ଗ୍ରାମବାସୀ ଅନ୍ୟ ଜଣଙ୍କୁ ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ ସ୍ୱରୂପ ଗୋଦାନ କରିଥାନ୍ତି ।

ଏହି ଆଫ୍ରିକୀୟ ଦେଶର ପିଲାମାନଙ୍କଠାରେ ପୁଷ୍ଟିହୀନତା ହାର ପ୍ରବଳ ହେବାପରେ ରାଷ୍ଟ୍ରପତି ପଲ କଗାମେ ଗିରିଙ୍କା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପରିବାରକୁ ଗୋଟିଏ ଲେଖାଏଁ ଦୁଧିଆଳୀ ଗାଈ ପ୍ରଦାନ ଲାଗି ପ୍ରୟାସ କରାଯାଉଛି । କେବଳ ସେତିକି ନୁହେଁ ସମନ୍ୱିତ ପ୍ରାଣୀଧନ ଓ ବହୁମୁଖୀ ଫସଲ କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଂଚଳ ଦାରିଦ୍ର୍ୟ ହ୍ରାସ କରିବା ଲାଗି ଉଦ୍ୟମ କରାଯାଉଛି । ଗରିବ ପରିବାରମାନେ ଦୁଧିଆଳୀ ଗାଈକୁ ଲାଳନ ପାଳନ କରି କ୍ଷୀର, ଦହି, ଘିଅ, ଛେନା ଆଦି ସୁମିଷ୍ଟ ଓ ପୌଷ୍ଟିକ ଖାଦ୍ୟ ଜରିଆରେ ନିଜ ନିଜ ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରୁଛନ୍ତି ଏବଂ ଗାଈ ଗୋବରକୁ ଜୈବିକ ସାର ରୂପେ ମଧ୍ୟ ବ୍ୟାପକ ଭାବେ ରୱାଣ୍ଡାର ଗାଁ ଗାଁରେ ଉପଯୋଗ କରାଯାଉଛି ।

୨୦୦୬ ମସିହାରେ ଗିରିଙ୍କା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ସେହିଦିନଠାରୁ ଜୁନ ୨୦୧୬ ପର୍ଯ୍ୟନ୍ତ ଗରିବ ପରିବାରମାନଙ୍କୁ ୨,୪୮,୫୬୬ଟି ଦୁଧିଆଳୀ ଗାଈ ବଂଟନ କରାଯାଉଛି । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ରୱାଣ୍ଡାରେ ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବୃଦ୍ଧି ପାଉଛି ଏବଂ ପିଲାମାନଙ୍କଠାରେ ଅପପୁଷ୍ଟିର ହାର ମଧ୍ୟ ଯଥେଷ୍ଟ କମିଛି । ସେହିପରି ସେଠାରେ କୃଷି ଉତ୍ପାଦନ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି ।

ଗିରିଙ୍କା କାର୍ଯ୍ୟକ୍ରମର ପ୍ରସାର ଦ୍ୱାରା ଗୋଧନ ସଂଖ୍ୟା ବୃଦ୍ଧି ପାଇବା ସହ ସେଠାକାର ଲୋକମାନଙ୍କ ମଧ୍ୟରେ ସ୍ନେହ ସୌହାର୍ଦ୍ଧ ମଧ୍ୟ ବଢ଼ୁଛି । ଗିରିଙ୍କା କାର୍ଯ୍ୟକ୍ରମର ମାର୍ଗଦର୍ଶିକା ଅନୁଯାୟୀ କେବଳ ଗରିବ ଓ ସାମାନ୍ୟ ଜମି ରଖିଥିବା ପରିବାରକୁ ଗୋଦାନ କରାଯାଇଥାଏ । ଏହା ଫଳରେ ସମ୍ପୃକ୍ତ ହିତାଧିକାରୀ ପରିବାର ନିଜର ଜମିରେ ଗାଈ ଚରାଇପାରିବେ ଏବଂ ଗୋବର ମଧ୍ୟ ବ୍ୟବହାର କରିପାରିବେ । ଏହାଛଡା ଗାଈକୁ ରଖିବା ଲାଗି ଗୁହାଳ ମଧ୍ୟ ହିତାଧିକାରୀଙ୍କ ପାଖରେ ଥିବା ଆବଶ୍ୟକ । ତାହେଲେ ଯାଇ ସେମାନଙ୍କୁ ଗାଈ ବଂଟନ କରାଯାଇଥାଏ ।

Leave A Reply

Your email address will not be published.