Latest Odisha News

BREAKING NEWS

ଆସୁଛି ରାକ୍ଷୀ ପୂର୍ଣ୍ଣିମା : ବଜାରରେ ବଢୁଛି ରୁଦ୍ରାକ୍ଷ ରାକ୍ଷୀର ଚାହିଦା

ଭୁବନେଶ୍ବର: ଆସୁଛି ରାକ୍ଷୀ ପୂର୍ଣ୍ଣିମା  । ସ୍ନେହର ଡୋରିରେ ଭାଈର ହାତରେ ରାକ୍ଷୀ ବାନ୍ଧିବ ଉଭଣୀ । ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ରହିବ। ଆସନ୍ତା ୩୦ ତାରିଖରେ ପାଳିତ ହେବାକୁ ଯାଉଛି  ରାକ୍ଷୀ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଲାଣି ହାଟ, ବଜାର ଓ ଅନ୍‌ଲାଇନ୍‌ ସପିଂ ସାଇଟ୍‌ । ଆଜିର ଡିଜିଟାଲ୍‌ ଯୁଗରେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଶୁଭେଚ୍ଛା ଜଣାଉଥିଲେ ବି ଏହି ଦିନଟି ସବୁ ଭାଈ ଭଉଣୀ ମାନଙ୍କ ପାଇଁ ଖାସ୍ ହୋଇଥାଏ  । ଭାଈଟିଏ ଯେତେ ଦୂରରେ ଥାଉନା କାହିଁକି , ଭଉଣୀଟିଏ ଭାଈ ପାଖକୁ ରାକ୍ଷୀ ବାନ୍ଧିବାକୁ ଆସିଥାଏ । ଯଦିବା କୌଣସି କାରଣରୁ ଭଉଣୀଟିଏ ଭାଈ ପାଖକୁ ନଯାଇପାରେ , ତେବେ ନିଶ୍ଚିତ ଭାବେ ରାକ୍ଷୀଟିଏ ପଠାଇଦିଅନ୍ତି  ।

ବଜାରରେ ବିଭିନ୍ନ ରକମର ରାକ୍ଷୀ ବିକ୍ରି ହେଉଥିବାବେଳେ , ଏବେ ରୁଦ୍ରାକ୍ଷ ରାକ୍ଷୀର ବେଶ୍ ଡିମାଣ୍ଡ ରହିଛି ।  ଆମ ହିନ୍ଦୁ ଧର୍ମରେ ରୁଦ୍ରାକ୍ଷକୁ ଅତ୍ୟନ୍ତ ପବିତ୍ର ଓ ରକ୍ଷାକବଚ ବୋଲି ବିବେଚନା କରାଯାଏ  । ଅନ୍‌ଲାଇନ୍‌ ସପ୍‌ଠାରୁ ଆରମ୍ଭ କରି ସବୁ ସପିଂ ମଲ ଗୁଡିକରେ ରୁଦ୍ରାଖ ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି  । କଷ୍ଟମାଇଜ୍ଡ ଓ ପର୍ସୋନାଲାଇଜ୍‌ ରାଖିରେ ମଧ୍ୟ ରୁଦ୍ରାକ୍ଷ ଗୁନ୍ଥା ହୋଇ ରହୁଛି। ଏସବୁର ଦାମ୍‌ ୩୦ ଟଙ୍କାରୁ ଆରମ୍ଭ କରି ଡିଜାଇନ୍‌ ଅନୁସାରେ ମୂଲ୍ୟ ରହୁଛି।

ଆଗଭଳି ଏବେ ମଧ୍ୟ ବଜାର‌ରେ ଷ୍ଟୋନ୍‌, କ୍ରିଷ୍ଟାଲ, ଚେନ୍‌, ଟେଡ୍ଡି, କାର୍ଟୁନ୍‌ ଓ ଫ୍ୟାନ୍‌ସି ରାଖି ଉପଲବ୍ଧ ହେଉଛି। ହେଲେ ଏବେ ଷ୍ଟୋନ୍‌ ଓ କ୍ରିଷ୍ଟାଲ ରାଖିର ଚାହିଦା ବେଶି ରହୁଛି  । ଯାହାର ମୂଲ୍ୟ ୨୦ ଟଙ୍କାରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। କୁନି ପିଲାମାନଙ୍କ ପାଇଁ ଡୋରେମନ୍‌, ଛୋଟାଭୀମ୍‌, ମୋଟୁ ପତ୍‌ଲୁ, ଆଙ୍ଗ୍ରିବାର୍ଡ, ସ୍ପାଇଡର ମ୍ୟାନ୍‌ ଭଳି କାର୍ଟୁନ୍‌ ରାକ୍ଷୀ ରହିଛି। ଏହାସହ ମୋବାଇଲ୍‌ ରାକ୍ଷୀ, ପ୍ରଜାପତି, କାର୍ଟୁନ୍‌ ରାକ୍ଷୀ ଆଦି ମିଳୁଛି  ।  ଏଗୁଡ଼ିକ ବି ୧୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଏହାଛଡ଼ା ଲବଙ୍ଗ, ଅଳେଇଚ, ସିନ୍ଦୂର, ଚାଉଳ, ଚନ୍ଦନ, ମିଶ୍ରି ଆଦି ସଜା ହୋଇଥିବା ରାକ୍ଷୀ ଥାଳିର ବି ଆଦର ରହିଛି। ଏହାର ଦାମ୍‌ ୨୦ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ଭିତରେ ରହିଛି। ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, କୋଲକାତା, ସୁରତ ଓ ରାଜକୋଟରୁ ପ୍ରତିବର୍ଷ ଏଭଳି ରାକ୍ଷୀ  ଓଡ଼ିଶାକୁ ଆସିଥାଏ।…

Comments are closed.