ଭୁବନେଶ୍ୱର: ଓଡ଼ିଶା ହେଉଛି ଭାରତବର୍ଷରେ ଏକମାତ୍ର ରାଜ୍ୟ ଯେଉଁଠାରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାଧାରଣ
ସଭାରେ ଅପମାନିତ କରନ୍ତି । ବିଧାୟକଙ୍କ ବିରୋଧରେ ଭାଷଣବାଜୀ ମଧ୍ୟ କରନ୍ତି । କିନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏ ସରକାର ଶକ୍ତିହୀନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରି ପ୍ରଶ୍ନ ପ୍ରଚାରିଛନ୍ତି ରାଜ୍ୟର ଆଇନର ଶାସନ ପରିବର୍ତ୍ତେ କିଭଳି ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି ? ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ତାଙ୍କର ବ୍ୟକ୍ତିଗତ ସଚିବ ସାରା ରାଜ୍ୟ ଗ୍ରସ୍ତ କରିବା ଏବଂ ଗ୍ରସ୍ତକରିବା ଛଳରେ ସଭାସମିତିରେ ରାଜନୈତିକ ଭାଷଣବାଜି କରିବା ଏପରିକି ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅପମାନିତ କରିବା କାର୍ଯ୍ୟକୁ ସେ କଡ଼ା ଭାଷାରେ ନିନ୍ଦା କରିବା ସହିତ ଦୃଢ଼ ଭାବରେ ବିରୋଧ କରିଛନ୍ତି ।
ପିସିସି ସଭାପତି ଆହୁରି କହିଥିଲେ, ପ୍ରତ୍ୟେକ ସୀମାରେଖା ମଧ୍ୟରେ ରହି କାର୍ଯ୍ୟ କରିବା ଉଚିତ । କିନ୍ତୁ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କି ଲୋକଙ୍କ ଦ୍ୱାରା ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଓ ତାଙ୍କର ଭୂମିକାକୁ ସଂପୂର୍ଣ୍ଣ ଭାବରେ ନ୍ୟୁନ କରିଦିଆଯାଉଛି । ଏହାଦ୍ୱାରା ସମ୍ବିଧାନ ବିରୋଧି କାର୍ଯ୍ୟକୁ ଖୋଦ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହିତ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ରାଜ୍ୟରେ ଏଭଳି ଅଧଃପତନ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳର ନେତୃବର୍ଗଙ୍କ ଦୀର୍ଘ ନୀରବତା ହିଁ ଦାୟୀ । ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସାଧାରଣ ସଭାରେ ଅପମାନିତ କରିବେ, ଏ ସାହସ ଦେଲା କିଏ ? କଂଗ୍ରେସ ଏଭଳି ପରିସ୍ଥିତିକୁ ବରଦାସ୍ତ କରିବ ନାହିଁ ।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବ ରାଜ୍ୟର ସମସ୍ତ ଜିଲ୍ଲାକୁ ଗ୍ରସ୍ତ କରୁଛନ୍ତି । ଜନ ଶୁଣାଣି ଅଭିଯୋଗ ନାମରେ ରାଜନୈତିକ ଭାଷଣବାଜି କିପରି ଓ କାହିଁକି କରୁଛନ୍ତି ? କଲେଜର ଛାତ୍ରଛାତ୍ରୀମାନଙ୍କୁ ଏ ସଭାକୁ କାହିଁକି ବୁହାହୋଇ ଅଣାଯାଉଛି । ଖୋଦ ମୁଖ୍ୟମନ୍ତ୍ରୀ ୨୦୦୯ ମସିହାରେ ନିର୍ଦ୍ଦେଶ ଦେଇଥିଲେ
ଯେ ଛାତ୍ରଛାତ୍ରୀମାନଙ୍କୁ କୌଣସି ରାଜନୈତିକ କାର୍ଯ୍ୟକ୍ରମକୁ ନ ଆଣିବା ପାଇଁ । କିନ୍ତୁ ଏବେ କଲେଜର ପ୍ରିନ୍ସିପାଲମାନେ ଚିଠି ଲେଖି ଛାତ୍ରଛାତ୍ରୀମାନଙ୍କୁ ଭୟଭିତ କରାଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବଙ୍କ ସଭାକୁ ଆଣୁଛନ୍ତି । ହେଲେ କାହିଁକି ? ଏ ନିଷ୍ପତି ପୁଣି ନେଲା କିଏ ? ଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ କାଟ କରି ପୁର୍ନବାର କିଏ ନିଷ୍ପତି ନେଉଛି ଏହା ରାଜ୍ୟବାସୀ ଜାଣିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ରାଜ୍ୟରେ ମହିଳା ନିର୍ଯ୍ୟାତନା ଭାରତ ବର୍ଷରେ ଆଜି ଶିର୍ଷରେ । ଏ ରାଜ୍ୟରେ ପ୍ରତିଦିନ ୭ ଜଣ ମହିଳା ଉତ୍ପଡ଼ୀନ, ଅତ୍ୟାଚାରରେ ଶୀକାର ହେଉଛନ୍ତି । ହଜାର ହଜାର ମହିଳା ପ୍ରତିବର୍ଷ ରାଜ୍ୟ ବାହାରକୁ ଚାଳାଣ ହେଉଛନ୍ତି । ରାଜ୍ୟରେ ଗତବର୍ଷ ତୁଳନାରେ ୩୭.୧ ପ୍ରତିଶତ ମହିଳା ଅପହରଣର ବୃଦ୍ଧି ଘଟିଛି । ଏହି କିଛିଦିନ ଭିତରେ ନାରୀନିର୍ଯ୍ୟାତନା ପରିମାଣରେ ବହୁ ବୃଦ୍ଧି ଘଟିଛି ବୋଲି ପିସିସି ସଭାପତି କହିଛନ୍ତି।
ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ଯେଉଁ ୬ ରୁ ୭ ଜଣ ଗୋଲାପି ରଙ୍ଗର ଗଞ୍ଜି ପିନ୍ଧି ହୃଷ୍ଟପୃଷ୍ଟ ଯୁବକମାନେ ଘେରି ରହି ସୁରକ୍ଷା ଦେଉଛନ୍ତି ସେମାନେ କେଉଁ ବିଭାଗର ଅଧିକାରୀ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।
Comments are closed.