Latest Odisha News

BREAKING NEWS

ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ, ଗଞ୍ଜାମରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ହେଉଛି ଦୁର୍ବଳ। ନିଅଣ୍ଟିଆ ବର୍ଷା ଚିନ୍ତା ବଢାଉଛି। ଫଳରେ ଚାଷ କାମ ଆରମ୍ଭ ହୋଇପାରୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ତୁଳନାରେ ୯୩% କମ୍।

ଗଞ୍ଜାମ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ସେଠାରେ ସ୍ୱାଭାବିକ ଠାରୁ ୪୦% କମ ବର୍ଷା ହୋଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନକୁ କଣ୍ଟିଜେନ୍ସି ଯୋଜନା ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟର ଅଳ୍ପ କିଛି ଜିଲ୍ଲାରେ ମଧ୍ୟ କମ୍ ବର୍ଷା ହୋଇଛି। ହେଲେ ସେପ୍ଟେମ୍ବରରେ ବର୍ଷା ହେବା ନେଇ ଆକଳନ ହୋଇଛି। ଅକ୍ଟୋବରରେ ମଧ୍ୟ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ଅନ୍ୟପଟେ କୃଷି ବିଭାଗ କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ ରଖିଛି। ତାକୁ ଆଧାର କରି ସମସ୍ତ ଚାଷୀଙ୍କୁ ଚାଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ମୌସୁମୀ ନିମ୍ନ ଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବାବେଳେ ଏହାର ପୂର୍ବ ଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି, ପାଟନା, ବାଙ୍କୁରା ମଧ୍ୟଦେଇ ପଶ୍ଚିମବଙ୍ଗର ଦିଘାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି।

ଅନ୍ୟପଟେ ଆଜି ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏଁ ବ୍ୟାପିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୨ ତାରିଖଠାରୁ ରାଜ୍ୟର କିଛି ଅଞ୍ଚଳରେ ଭାରି ବର୍ଷା ସମ୍ଭାବନା ଥିବାବେଳେ ୪ ସେପ୍ଟେମ୍ୱରରେ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ଥିବା ନେଇ ସୂଚନା ଦେଲା ପାଣିପାଗ ବିଭାଗ।

Comments are closed.