Latest Odisha News

BREAKING NEWS

ବେଦାନ୍ତ ବିରୋଧରେ ବିଜୟୀ ପରେ ସେପ୍ଟେମ୍ବର ୯ରେ ଆୟୋଜନ ହେବ କୃଷକ ବିଜୟ ସମାବେଶ

ପୁରୀ: ଆଗାମୀ ସେପ୍ଟେମ୍ବର ୯ ତାରିଖରେ କୃଷକ ବିଜୟ ସମାବେଶ ମହା ସମାରୋହରେ ପାଳନ ହେବ। ରାଜ୍ୟ ସରକାରଙ୍କ ବେଆଇନ ଜମି ଅଧିଗ୍ରହଣ ନେଇ ମାନ୍ୟବର ସୁପ୍ରିମକୋର୍ଟରେ ହୋଇଥିବା ମାମଲାରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ବିଜୟୀ ହେବାପରେ ଏହି ବିଜୟ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ସମାବେଶ’ରେ ବହୁ ସଂଖ୍ୟାରେ କୃଷକ ସଙ୍ଗଠନ, କୃଷକ ନେତାମାନଙ୍କ ସହ ବହୁ ଜନ ନାୟକ, ସୁପ୍ରିମକୋର୍ଟରେ ଏହି ମାମଲା ପରିଚାଳନା କରିଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ନର୍ମଦା ବଞ୍ଚାଅ ଅଭିଯାନର ଜନନେତ୍ରୀ ମେଧା ପାଟେକର ପ୍ରମୁଖ ଯୋଗଦେବେ।

ଏହି କ୍ରମରେ ବୁଧବାର ରାତିରେ ବେଦାନ୍ତ ବିରୋଧୀ ଆନ୍ଦୋଳନର ପ୍ରମୁଖ ଗାଁ ସମଗରା ଠାରେ ‘କୃଷକ ବିଜୟ ସମାବେଶ’ ସମ୍ପର୍କରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ନେତୃବୃନ୍ଦ ବାଇଶମୌଜାର ପ୍ରତ୍ୟେକ ଗାଁ କୁ ଗାଁ ବୁଲି ବେଦାନ୍ତ ବିଶ୍ବବିଦ୍ୟାଳୟ ଆଳରେ ଅନୀଲ ଅଗ୍ରୱାଲଙ୍କ ଜମି ହଡ଼ପର ଆଭିମୁଖ୍ଯ, ତତ୍କାଳୀନ ରାଜ୍ଯ ସରକାରଙ୍କ ଆଖିବୁଜା କମ୍ପାନୀ ପ୍ରୀତି ଏପରିକି ଏହି ମାମଲାରେ ଲୋକପାଳ ଓ ହାଇକୋର୍ଟରେ ବେଆଇନ ଘୋଷଣା ପରେ ବି ସୁପ୍ରିମକୋର୍ଟ ଯିବା, ସେଠାରେ ମାମଲା ତର୍ଜମା ପରେ ବହୁ ଦୁର୍ନୀତି ଓ ବେଆଇନ ଘଟଣାର ପର୍ଦ୍ଧାଫାଶ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଛନ୍ତି ।

ସମଗରା ଗ୍ରାମ ସଭାପତି ରାଜକିଶୋର ଜେନାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସମ୍ପାଦକ ରାମଚନ୍ଦ୍ର ପ୍ରଧାନ, ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଉପସଭାପତି ମଧୁ ରାଉତରାୟ, ଉପଦେଷ୍ଟା ବିଷ୍ଣୁ ପ୍ରସାଦ ମିଶ୍ର, ବରିଷ୍ଠ ନାଗରିକ ଅର୍ଜୁନ ପ୍ରଧାନ, ହରପ୍ରସାଦ ଜେନା ଓ ପ୍ରଭାକର ଗୋଛାୟତ ପ୍ରମୁଖ ଯୋଗ ଦେଇଥିଲେ।

ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ପ୍ରମୁଖ ପୁରୋଧା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଯୋଗଦେଇ ଆଗାମୀ ବିଜୟ ଦିବସ ପାଳନର ସମସ୍ତ ପ୍ରସ୍ତୁତିପର୍ବ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।

ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଓ ବାଇଶମୌଜା ଅଞ୍ଚଳର ସମସ୍ତ ଚାଷଜମିକୁ ରାଜ୍ୟ ସରକାରଙ୍କ ଦ୍ୱାରା ବେଦାନ୍ତ କମ୍ପାନୀ କିପରି ଜାଲିଆତି କାଗଜାତରେ ହାତେଇ ନେଇଥିଲା ସେ ସମ୍ପର୍କରେ ସୂଚନା ଦେବାପରେ ଏହି ବେଆଇନ ଜମି ଅଧିଗ୍ରହଣ ବିରୋଧରେ ଲୋକପାଳ, ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯାଏଁ ଆଇନଗତ ଲଢେଇର ଯନ୍ତ୍ରଣା ଅବତାରଣା କରିଥିଲେ।

Comments are closed.