Latest Odisha News

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: କଥକ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ୨୯ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ସନ୍ଧ୍ୟାରେ କଥକ ନୃତ୍ୟ ସାଙ୍ଗକୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ବିଭୋର ହୋଇଥିଲେ ଦର୍ଶକ ।

ଦ୍ୱିତୀୟ ସନ୍ଧ୍ୟାର ପ୍ରଥମ ଆକର୍ଷଣ ଥିଲା କଥକ ନୃତ୍ୟ । ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ କଥକ ନୃତ୍ୟାଙ୍ଗନା ଶିଲା ମେହେଟ୍ଟା । ସେ ପ୍ରଥମେ ଶିବ ସ୍ତୁତି ପରେ ପରେ ପରିବେଷଣ କରିଥିଲେ ଭବ ତିହାଇ ଯାହା ତିନ୍ ତାଲ ଉପରେ ନିବଦ୍ଧ ଥିଲା । ଶେଷରେ ଶ୍ରୀକୃଷ୍ଣ ଓ ଅଜୁର୍ନଙ୍କ କୋଥପକଥନ ଗୀତା ଆସର ପରିବେଷଣ କରିଥିଲେ । ତାଙ୍କର ନୃତ୍ୟ ଖୁବ୍ ଚମତ୍କାର ଏବଂ ଆକର୍ଷଣୀୟ ଥିଲା । ତାଙ୍କୁ ତବଲାରେ ବିବେକ ମିଶ୍ର ଓ ଅମିତାଂଶୁ କୁମାର ବ୍ରହ୍ମା, ସରୋଦରେ ସୁନାଦୋ ମୁଖାର୍ଜୀ ଏବଂ କଣ୍ଠରେ ଜୟଦ୍ୱୀପ ସିହ୍ନା ସହଯୋଗ କରିଥିଲେ ।

ସେହିପରି ଦ୍ୱିତୀୟ ଆକର୍ଷଣ ଥିଲା ଜୟତୀର୍ଥ ମେଭୁଣ୍ଡୀଙ୍କ ଦ୍ୱାରା ହିନ୍ଦୁସ୍ଥାନୀ ସଙ୍ଗୀତ ପରିବେଷଣ । ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସେ ଶ୍ରୀକୃଷ୍ଣଙ୍କ ଉପରେ ବିଭିନ୍ନ ଭଜନ ପରିବେଷଣ କରିଥିଲେ । ସୁଲଳିତ କଣ୍ଠରେ ସେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ତାଙ୍କୁ ହାରମୋନିୟମ୍‌ରେ ଅନୁସୁଲା ମୋରେ ଏବଂ ତବଲାରେ ନରହରି ଭି. ସହଯୋଗ କରିଥିଲେ ।

ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପୂର୍ବତଟ ରେଲ୍‌ୱେ ମହା ପରିଚାଳକ ମନୋଜ ଶର୍ମା, ବିଶିଷ୍ଟ ଗାୟକ ତଥା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ. ପାରାଦୀପ ଫସଫେଟ୍ ଲିମିଟେଡ୍‌ର କର୍ପୋରେଟ୍ ଆଫେୟାର୍ସ ମୁଖ୍ୟ ସୁଧୀ ରଂଜନ ମିଶ୍ର । ଏହି ଉତ୍ସବର ପରିକଳ୍ପନା ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କରାଯାଇଥିବା ବେଳେ ଏହାକୁ କାର୍ଯ୍ୟକାରୀ ଦେବୀପ୍ରସାଦ ମିଶ୍ର କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

Comments are closed.