ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ ପହଞ୍ଚି ଗଲେଣି। ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଜି-୨୦ ଶିଖର ସମ୍ମିଳନୀର ପ୍ରସ୍ତୁତି। ସେପ୍ଟେମ୍ବର ୯ ରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଶ୍ୱ ନେତାଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। ଜି-୨୦ ରେ ଯୋଗଦେବାକୁ ଆସିଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏହି ରାତ୍ରୀ ଭୋଜନରେ ଯୋଗ ଦେବେ। ଏହି ରାତ୍ରୀ ଭୋଜନରେ ଯୋଗଦେବା ପାଇଁ ରାଷ୍ଟ୍ରପତି ମୁର୍ମୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଏଚଡି ଦେବେ ଗୌଡାଙ୍କୁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି।
ଏହି ସମୟରେ ଭାରତର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟମନ୍ତ୍ରୀ, ଭାରତ ସରକାରଙ୍କ ସଚିବ ତଥା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ପଠାଯାଇଛି। ଅନ୍ୟପଟେ ଏନେଇ କଂଗ୍ରେସ କହିଛି ଯେ ତାଙ୍କ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଏହି ରାତ୍ରୀ ଭୋଜନ ପାଇଁ କୌଣସି ରାଜନୈତିକ ଦଳର ମୁଖ୍ୟଙ୍କ ନିକଟକୁ କୌଣସି ନିମନ୍ତ୍ରଣ ପଠାଯାଇ ନାହିଁ।
ଜି-୨୦ ରାତ୍ରୀ ଭୋଜନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡା ଅଂଶଗ୍ରହଣ କରିବେ ନାହିଁ। କାରଣ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସେ ଦର୍ଶାଇଛନ୍ତି। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ସନ୍ଧ୍ୟାରେ ରାତ୍ରୀ ଭୋଜନରେ ଅଂଶଗ୍ରହଣ କରିବେ। ଉଭୟ ନେତାଙ୍କ କାର୍ଯ୍ୟାଳୟ ଏହା ନିଶ୍ଚିତ କରିଛି। ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫ୍ୟୁମୋ କିଶିଦା ଏବଂ ବହୁ ଶୀର୍ଷ ଦେଶର ମୁଖ୍ୟ ଉପସ୍ଥିତ ରହିବେ।
Comments are closed.