ତରୁଣ କୁମାର ମିଶ୍ର
ନଈ ସେପାରି ତାଳବଣରେ
ମୋ ମାମୁଁଘର ଗାଆଁ ,
ଦୂରରୁ ଦିଶେ ସୁନ୍ଦର ଭାରି
ତାଳବଣିଆ ତା ‘ ନାଁ ।
ମାମୁଁଘରକୁ ଯାଉଥିଲି ମୁଁ
ଡଙ୍ଗାରେ ପାରି ହୋଇ ,
ଅକାତ କାତ ପାଣିର ସୁଅ
ନିଏ ଡଙ୍ଗା ଭସାଇ ।
ଏବେ ତ ଆଉ ରହୁନି ପାଣି
ନଈରେ ପକା ପୋଲ ,
ଗାଡ଼ି ମଟର ଯାହାକୁ ଯେତେ
ଜଣା ପଡ଼େନି ଦୂର ।
ଅଜାଙ୍କ ସାଥେ ଆସିଛି କେତେ
ଘାଟକୁ ମାଛ କିଣି ,
ମାମୁଁ ଆଣନ୍ତି ନଈ ଇଲିସି
ଖାଇଛୁ ମିଶି ପୁଣି ।
ଆଈ ଆମର ଗୋରୀ ବୁଢ଼ୀଟି
ପାକୁଆ ପାଟି ତା’ ର ,
ଖାଅଇ ପାନ କୁଟି କୁଟିକି
ଦିନକୁ ଦଶ ଥର ।
ଗାଧୋଇ ଆସି ଠାକୁର ଘରେ
ଭାଗବତ ସେ ପଢ଼େ ,
ଚଷମା ପିନ୍ଧି ପଢ଼ଇ ବହି
ସଞ୍ଜରେ ଗପ କହେ ।
ଅଜା ଆମର ଗୋରୁଙ୍କ ପାଶେ
ଥାଆନ୍ତି ଜଗି ବସି ,
ବଳଦ ଗାଈ କୁଣ୍ଡା ତୋରାଣୀ
ପିଅନ୍ତି ହୋଇ ଖୁସି ।
ମାମୁଁ ଆମର ଥିଲେ ଶିକ୍ଷକ
ମାଇଁ ଯେ ଭାରି ସ୍ନେହୀ ,
ମାମୁଁ ମାଇଁଙ୍କ ସ୍ନେହ ଅପାର
ମନରୁ ଭୁଲୁନାହିଁ ।
ଅଜା ଆଈ ଓ ମାମୁଁ ମାଇଁ ଯେ
ନାହାନ୍ତି ଏବେ ପାଶେ ,
ପଡ଼ିଲେ ମନେ ସେଦିନ କଥା
ମନରେ ଦୁଃଖ ଆସେ ।
ଖଣ୍ଡଗିରି ,ଭୁବନେଶ୍ବର
Comments are closed.